ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସୁପରିଚାଳନା ନେଇ ପ୍ରସ୍ତୁତି ବୈଠକ

add-all

ଛତ୍ରପୁର : ରାଜ୍ୟରେ ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାର ସରଳୀକରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଯେପରି ଜଣେ ବି ଯୋଗ୍ୟ ଭୋଟର ବାଦ୍ ନପଡ଼ନ୍ତି, ସେଥିପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ କହିଛନ୍ତି।୯୫ ପ୍ରତିଶତ ମ୍ୟାପିଂ ସହିତ ଓଡିଶା ଦେଶର ଅଗ୍ରଣୀ ସ୍ଥାନରେ ରହିଛି ଆଗାମୀ ଏସ ଆଇ ଆର କାର୍ଯ୍ୟ ଗୁଡିକୁ ମଧ୍ୟ ସେଇ ସକରାତ୍ମକତାର ସହିତ ସମ୍ପାଦିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ଭ୍ରମାତ୍ମକ ସୂଚନା କିମ୍ବା ଗୁଜବ ନଜରକୁ ଆସିଲେ, ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଇ ସଠିକ ତଥ୍ୟ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବରର ବ୍ୟବସ୍ଥା କରାଯାଇଛି । ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଯୋଡି ହେବାପାଇଁ ECINET ଆପ ମାଧ୍ୟମରେ ବୁକ୍ ଏ କଲ୍ (Book a call) କରିପାରିବେ ବୋଲି ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ କହିଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ଡେପୁଟି କଲେକ୍ଟର (ନିର୍ବାଚନ) ଡ଼ଃ ଅରୁଣ କୁମାର ଖଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଇ-ଗଭର୍ନାନ୍ସ ମ୍ୟାନେଜର ଏ ଗୁରୁପ୍ରସାଦ ଦୋରା, ଜିଲ୍ଲା ପରିଷଦର ପ୍ରୋଜେକଟ ମ୍ୟାନେଜର ସୌମ୍ୟ ରଞ୍ଜନ ହୋତା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.