
ଆଠଗଡ : କେନ୍ଦ୍ର ସରକାରଙ୍କ ଜାତୀୟ ସମାଜ କଲ୍ୟାଣ ଯୋଜନାରେ ୨ମାସର ଭତ୍ତା ନପାଇ ଗରିବ ଶ୍ରେଣୀର ହିତାଧିକାରୀ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଜାତୀୟ ସମାଜ କଲ୍ୟାଣ ଯୋଜନା ଅନ୍ତର୍ଗତ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଦୁଇମାସ ହେଲା ନମିଳିବା ଫଳରେ ଗରିବ ବୃଦ୍ଧବୃଦ୍ଧା ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରୁନାହାନ୍ତି। ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ହାତକୁ ହାତ ଭତ୍ତା ମିଳିଯାଉଛି।
କିନ୍ତୁ ଡିବିଟି ମାଧ୍ୟମରେ ମିଳୁଥିବା କେନ୍ଦ୍ର ସରକାରଙ୍କ ଭତ୍ତା ମିଳୁନାହିଁ। ଆଠଗଡ ବ୍ଲକରେ ୯୯୦୫ ଜଣ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଜାତୀୟ ସମାଜ କଲ୍ୟାଣ ଭତ୍ତା ଏବଂ ୧୩୯୮୬ ଜଣ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ପାଉଛନ୍ତି। ସେହିପରି ଆଠଗଡ ଏନଏସିର ୧୧୨୦ ଜଣ ଇନ୍ଦିରା ଗାନ୍ଧୀ କେନ୍ଦ୍ରିୟ ପେନସନ ଏବଂ ୧୧୫୧ ଜଣ ରାଜ୍ଯର ମଧୁବାବୁ ପେନସନ ପାଉଛନ୍ତି। ସେଥିରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ, ବିଧବା ଆଦି ଭତ୍ତା ସାମିଲ ରହିଛି।ଗତମାସରେ କେନ୍ଦ୍ରୀୟ ପେନସନ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ପଠାଇବାରେ ସମସ୍ୟା ହୋଇଥିଲା ଏବଂ ଆଗାମୀ ମାସରେ ଦୁଇମାସର ଭତ୍ତା ଏକ ସଙ୍ଗରେ ବ୍ୟାଙ୍କ ଖାତାରେ ଜମା ହେବ ବୋଲି ବ୍ଲକ ପ୍ରଶାସନ ସୂତ୍ରରୁ ପ୍ରକାଶ।
