
ନୟାଗଡ: ବିବାଦ ଘେରରେ ନୟାଗଡ଼ ଜିଲ୍ଲା କାରାଗାର । ଜେଲରେ ଅନ୍ତେବାସୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ନେଇ ପ୍ରଶ୍ନ ଉଠିଛି।ଏହାକୁ ନେଇ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ପାଟି ଖୋଲିବାକୁ କେହି ସାହସ କରୁନାହାନ୍ତି ।ଯଦି କେହି ସାହସ କରି ପାଟି ଖୋଲିଲା ତେବେ ଜେଲ କତୃପକ୍ଷ ନାଲି ଆଖି ଦେଖାଉଥିବା ଅଭିଯୋଗ ଆସିଛି।ସେହିପରି ଜେଲରେ ବିଜୁଳି ସେବା ବ୍ୟାହତ ହେଲେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବ୍ୟବସ୍ଥା କାର୍ଯ୍ୟକାରୀ ହେଉନାହିଁ ଫଳରେ ଅନେକ ସମୟ ଧରି ଜେଲ ଅନ୍ତେବାସୀ ମାନେ ଅନ୍ଧାରରେ ରହୁଛନ୍ତି । ସୂଚନା ଅନୁଯାୟୀ ନୟାଗଡ଼ ଜେଲରେ ଉଭୟ ପୁରୁଷ ଏବଂ ମହିଳା କଏଦୀ ମିଶି ୨୩୬ ଜଣ ରହିଛନ୍ତି ।ସରକାରୀ ନିର୍ଦ୍ଦେଶ ମୁତାବକ ସପ୍ତାହକୁ ଦୁଇରୁ ତିନି ଥର ଆମିଷ ଏବଂ ଅନ୍ୟ ଦିନ ଗୁଡିକରେ ନିରାମିଷ ଖାଦ୍ୟ ପ୍ରସ୍ତୁତ ହେଉଛି ।ମାତ୍ର ଏହି ଖାଦ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଜେଲରୁ ଜାମିନରେ ଆସିଥିବା ଜଣେ ଅନ୍ତେବାସୀ ପ୍ରକାଶ କରିଛନ୍ତି।ଯେଉଁ ଦିନ କେହି ବରିଷ୍ଠ ଅଧିକାରୀ ଜେଲ ପରିଦର୍ଶନରେ ଆସୁଛନ୍ତି ସେହିଦିନ ଖାଦ୍ୟ ଠିକ୍ ଭାବରେ ପ୍ରସ୍ତୁତ କରାଯାଉଛି ।ଅନ୍ୟଦିନ ଗୁଡିକରେ ପୂର୍ବପରି ନିମ୍ନ ମାନର ଖାଦ୍ୟ ଦିଆଯାଉଛି ।ସେହିପରି ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବିଜୁଳି କଟିଲେ ଅନ୍ତେବାସୀ ମାନେ ହିନସ୍ତା ହେଉଛନ୍ତି । ଜେଲରେ ଗୋଟିଏ ଡିଜି ଓ ଇନଭର୍ଟର ବ୍ୟବସ୍ଥା ରହିଛି ମାତ୍ର ସେଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସେଗୁଡିକ ଅଧିକ ସମୟ ଧରି କାର୍ଯ କରି ପାରୁନାହିଁ ।କିଛି ଦିନ ତଳେ ହୋଇଥିବା କାଳବୈଶାଖୀ ଯୋଗୁଁ ଜେଲର ୱାର୍ଡ ଗୁଡ଼ିକ ଘଣ୍ଟା ଘଣ୍ଟା ଅନ୍ଧାରରେ ରହିଥିଲା । ଯଦି କୌଣସି ଅନ୍ତେବାସୀ ଏହି ଅବ୍ୟବସ୍ଥାକୁ ନେଇ ପାଟି ଖୋଲନ୍ତି ସେମାନଙ୍କୁ ଜେଲରେ ଥିବା ସ୍ୱତନ୍ତ୍ର କୋଠରୀ (ସେଲ -୪ )ରେ ଭର୍ତ୍ତି କରିବାକୁ ଧମକ ଦିଆଯାଉଛି । ଏହି ସେଲ – ୪ ରେ ରହୁଥିବା ଅନ୍ତେବାସୀ ମାନଙ୍କୁ ବାହାରକୁ ଆସିବାକୁ ସୁଯୋଗ ମିଳେ ନାହିଁ । ଅନ୍ୟ ସେଲ ଗୁଡିକରେ ରହିଥିବା କଏଦୀ ମାନଙ୍କୁ ଜେଲ ପରିସରରେ ଯେତିକି ସମୟ ବୁଲାବୁଲି କରିବାକୁ ମିଳେ ସେଲ -୪ ରେ ଥିବା କଏଦୀ ମାନଙ୍କୁ ଏହି ସୁବିଧା ଦିଆଯାଉନାହିଁ ।ଏହି ସେଲରେ ରହୁଥିବା କଏଦୀ ମାନେ ସୂର୍ଯ୍ୟଙ୍କୁ ମଧ୍ୟ ଦେଖି ପାରୁନାହାନ୍ତି।ଏହି ଭୟରେ କେହି ପାଟି ଖୋଲୁ ନାହାନ୍ତି ।ତେଣୁ ଜେଲରେ ଥିବା ଉକ୍ତ ସମସ୍ୟା ପ୍ରତି ଜେଲ କତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।ଜେଲ ଅଧିକ୍ଷକ ବାବୁଲି ବାରିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।ଅଧିକାଂଶ ସମୟରେ ଉପରିସ୍ଥ ଅଧିକାରୀ ମାନେ ଆସି ଜେଲର ସମସ୍ତ ବ୍ୟବସ୍ଥାକୁ ଯାଞ୍ଚ କରୁଛନ୍ତି ଏବଂ ଭଲ ରିପୋର୍ଟ ପ୍ରଦାନ କରୁଛନ୍ତି।କିଛି କଏଦୀ ଜେଲରେ ସ୍ୱତନ୍ତ୍ର ସୁବିଧା ମାଗୁଛନ୍ତି ।ସେମାନଙ୍କୁ ସୁବିଧା ନମିଳିଲେ ଏହିପରି ମିଥ୍ୟା ପ୍ରଚାର କରୁଛନ୍ତି।
