
ନୟାଗଡ଼,୩୦/୦୫(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ରଣପୁର ବିଦ୍ୟୁତ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଶନିବାର ଦିନ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ରଣପୁରରେ ବାରମ୍ବାର ଅହେତୁକ ବିଦ୍ୟୁତ୍ କାଟ କରି ଟାଟା ପାୱର ନିଜର ମନମାନି ଚଳାଇଛି । ଫଳରେ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଉପଭୋକ୍ତାମାନଙ୍କୁ ସର୍ବନିମ୍ନ ନିରନ୍ତର ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାୱର ଚୁକ୍ତି ସତ୍ତ୍ୱାବଳି ଖିଲାପ କରିଛି। ଏହି କମ୍ପାନୀ ଦୈନିକ ୧୦ରୁ ୧୨ ଥର ବିଦ୍ୟୁତ କାଟ କରି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ନାକେଦମ କରିସାରିଲାଣି ବୋଲି କହିଛନ୍ତି ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ପାଇକରାୟ । ଟାଟା ପାୱର ଚୁକ୍ତି ବାଡିଲ କରାଯାଉ ବୋଲି ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକ ଦାବି କରିଛନ୍ତି । ଉପଭୋକ୍ତାଙ୍କ ଚଳିବା ମୁତାବକ ପ୍ରତ୍ୟେକ ବିଦ୍ୟୁତ୍ ଟ୍ରାନ୍ସଫର୍ମର କିଲୋୱାଟ କ୍ଷମତା ବୃଦ୍ଧି କରାଯାଇ ପୁରୁଣା ଇଲେକ୍ଟ୍ରି ତାର ବଦଳାଇବା ସହିତ ଠିକା କର୍ମଚାରୀଙ୍କ ଚାକିରିକୁ ନିୟମିତ କରାଯିବା ନେଇ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିଦ୍ୟୁତ୍ ଡିଭିଜନ୍ ଆଗରେ ସରକାରଙ୍କ ବିରୋଧରେ କଂଗ୍ରେସ କର୍ମୀ ମାନେ ନାରାବାଜି କରିଥିଲେ । ଏଥି ସହିତ ରଣପୁର ବିଦ୍ୟୁତ୍ ଯନ୍ତ୍ରୀଙ୍କୁ ଭେଟି ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇ ଥିଲା । ଏହି ବିକ୍ଷୋଭରେ ରଣପୁର ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ପାଇକରାୟ, ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ ସାମନ୍ତରାୟ, ରଣପୁର ଜୋନ ସଭାପତି ଅନିଲ ପରିଡା, ରଣପୁର କଂଗ୍ରେସ ନଗର ସଭାପତି ପ୍ରଭାତ କୁମାର ଦଳେଇ ଓ ମହିଳା ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରତିମା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ରଣପୁର ବ୍ଲକର ପ୍ରତେକ ପଂଚାୟତର ବହୁ କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ ।
