
କୋରାପୁଟ (ବସନ୍ତ ପେଗଡ଼): କୋରାପୁଟ କଫିର ପ୍ରସିଦ୍ଧ ମହକ ସହ ଆଜି ମିଶିଯାଇଛି ଗଣତନ୍ତ୍ରର ସ୍ୱର। ସ୍ଥାନୀୟ କୋରାପୁଟ କଫି ପରିସରରେ ‘ସ୍ୱିପ୍’ (SVEEP) କାର୍ଯ୍ୟକ୍ରମ ଅଧୀନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR 2026) ର ଏକ ନିଆରା ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ SIR-୨୦୨୬ ର ପତାକା ଉନ୍ମୋଚନ କରିବା ସହ ଭୋଟର ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ଏକ ସୁନ୍ଦର ଉଦାହରଣ ଦେଇ କହିଥିଲେ ଯେ, “ଯେମିତି କୋରାପୁଟ କଫି ବିନା ଭେଜାଲରେ ଶୁଦ୍ଧ ଏବଂ ନିର୍ମଳ, ସେହିପରି ଆମର ଭୋଟର ତାଲିକା ମଧ୍ୟ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଜରୁରୀ।” ଏହି ଲକ୍ଷ୍ୟ ହାସଲ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ନିଷ୍ଠା ଓ ନିରପେକ୍ଷତାର ସହ ଘରକୁ ଘର ଯାଇ ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଜିଠାରୁ ଜିଲ୍ଲାର BLO ମାନେ ଘରକୁ ଘର ବୁଲି ଭୋଟର ତାଲିକାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବେ। ଏହି ସମୟରେ ମୃତ ଭୋଟର, ସ୍ଥାନାନ୍ତରିତ ହୋଇଥିବା ବ୍ୟକ୍ତି ଏବଂ ଦୁଇଥର ନାମ ଥିବା ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯିବ। ଏହାସହ ୧୮ ବର୍ଷ ପୂରଣ କରିଥିବା ସମସ୍ତ ନୂଆ ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରେଶ ଚନ୍ଦ୍ର ଶବର, ଆଇ.ଏ.ଏସ ପ୍ରୋବେସନର ଅନୁପ ନାୟକ, ଉପ-ଜିଲ୍ଲାପାଳ ପ୍ରେମ ଲାଲ ହିଆଲ, ନିର୍ବାଚନ ଡେପୁଟି କଲେକ୍ଟର ତଥା ସ୍ୱିପ୍ ନୋଡାଲ ଅଫିସର ମଙ୍ଗଳ ଚରଣ ବାସ୍କେ ଉପସ୍ଥିତ ଥିଲେ। ଏଥିସହ ଆଦିବାସୀ ଉନ୍ନୟନ ସମବାୟ ନିଗମର ଶାଖା ପରିଚାଳକ ରାକେଶ ବିଶ୍ୱାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ଏବଂ ବହୁ ସଂଖ୍ୟାରେ BLO ଉପସ୍ଥିତ ରହି ଏହି ସଚେତନତା ଅଭିଯାନରେ ସାମିଲ ହୋଇଥିଲେ।
