
ନୂଆଦିଲ୍ଲୀ : ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପୁଣି ଶତ୍ରୁ ଦେଶକୁ ଚେତାବନୀ ଦେଇଛନ୍ତି । ଏନଡିଏର ୧୫୦ ପାସିଂଆଉଟ ପରେଡରେ ଆର୍ମି ଚିଫ କହିଛନ୍ତି, ଅପରେସନ ସିନ୍ଦୁର ଏବେ ବି ଜାରି ରହିଛି । ଏବେ କେବଳ ସଂଘର୍ଷ ବିରାମ ଚାଲୁଛି, କିନ୍ତୁ ସଶସ୍ତ୍ର ବଳ ସଂପୂର୍ଣ୍ଣ ଭାବେ ଅପରେସନାଲ ଭାବେ ସତର୍କ ରହିଛି ।
ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଭାରତ ଅପରେସନ ସିନ୍ଦୁର ୨.୦ ପାଇଁ ପ୍ରସ୍ତୁତି କରୁଛି । ସେ ଜୋର ଦେଇ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନର ଜବାବରେ ସେନାର ଆଭିମୁଖ୍ୟ ପୂର୍ବଭଳି ରହିଛି । ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ସହିତ ମିଶି ଭବିଷ୍ୟରେ ହେବାକୁ ଥିବା ସମ୍ଭାବ୍ୟ ସ୍ଥିତି ପାଇଁ ସକ୍ରିୟ ଭାବେ ପ୍ରସ୍ତୁତି ଚାଲିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ସେନାରେ ବ୍ୟବହାର ହେବ AI ଓ LLM ଜ୍ଞାନକୌଶଳ । ଭାରତୀୟ ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଯେତେବେଳେ ଯୁଦ୍ଧକ୍ଷେତ୍ରର ପରିସ୍ଥିତି ଏବଂ ସମ୍ବଳ ନିୟନ୍ତ୍ରଣ ବାହାରକୁ ଚାଲିଯାଏ । ସେତେବେଳେ ସବୁ କିଛି ଏକାସଙ୍ଗେ ପରିଚାଳନା କରିବା ସମ୍ଭବ ନଥାଏ । ଏଭଳି ସ୍ଥିତିରେ ସେନାକୁ ସଠିକ୍ ଓ ଦ୍ରୁତ ନିଷ୍ପତ୍ତି ନେବାରେ AI ସବୁଠାରୁ ବଡ଼ ସାହାଯ୍ୟ କରିବ । ଜେନେରାଲ୍ ଦ୍ୱିବେଦୀ ସାମରିକ ରଣନୀତିର OODA ଚକ୍ର ଯଥା Observe-ଲକ୍ଷ୍ୟ କରିବା, Orient-ପରିସ୍ଥିତି ଅନୁଧ୍ୟାନ କରିବା, Decide-ନିଷ୍ପତ୍ତି ନେବା ଓ Act-କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ଆଲୋଚନା କରିଥିଲେ ।
ଯୁଦ୍ଧକ୍ଷେତ୍ରରେ କେବଳ ଡ୍ରୋନ୍ ବ୍ୟବହାର କରିବା ଯଥେଷ୍ଟ ନୁହେଁ, ବରଂ ଶତ୍ରୁପକ୍ଷରୁ ଆସୁଥିବା ଅସଂଖ୍ୟ ଡ୍ରୋନକୁ ରୋକିବା ପାଇଁ କାଉଣ୍ଟର-ଡ୍ରୋନ୍ (Counter-Drone) ସରଞ୍ଜାମର ମଧ୍ୟ ଆବଶ୍ୟକତା ରହିଛି । ଯୁଦ୍ଧ ମଇଦାନରେ ଥିବା ଏହି ବିପୁଳ ସମ୍ବଳ ଓ ଆହ୍ୱାନକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ‘ଅଟୋମେସନ୍’ (Automation) ଏକାନ୍ତ ଜରୁରୀ ଓ ଏହି କାର୍ଯ୍ୟରେ AIର ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି ବୋଲି ସେନାମୁଖ୍ୟ କହିଛନ୍ତି ।
