ସିୟୁଇଟି ୟୁଜି ପରୀକ୍ଷା ପରିଚାଳନାରେ ତ୍ରୁଟି: କ୍ଷମା ମାଗିଲା ଏନ୍‌ଟିଏ

add-all

ନୂଆଦିଲ୍ଲୀ : ଦେଶରେ ପୂର୍ବରୁ ମେଡିକାଲ ପରୀକ୍ଷା  ଏନ୍‌ଇଇଟିକୁ ନେଇ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବିବାଦରେ ଫସି ରହିଛି। ଏହି ସମୟରେ, ୩୦ମେ’ ଶନିବାର ଆଉ ଏକ ଏନ୍‌ଟିଏ ପରୀକ୍ଷା ସିୟୁଇଟି ୟୁଜି ୨୦୨୬ ପରୀକ୍ଷା ସମୟରେ କେନ୍ଦ୍ରଗୁଡ଼ିକରେ ବ୍ୟାପକ ବିଶୃଙ୍ଖଳା ଦେଖାଦେଇଛି। ସାରା ଦେଶର ଅନେକ କେନ୍ଦ୍ରରେ ସକାଳ ସିଫ୍ଟର ପ୍ରଶ୍ନପତ୍ର ସମୟସୀମାରେ ଆରମ୍ଭ ହୋଇପାରିନାହିଁ। ଯାହା ଫଳରେ ପ୍ରଚଣ୍ଡ ଖରାରେ କେନ୍ଦ୍ର ବାହାରେ ଠିଆ ହୋଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ କ୍ରୋଧ ପ୍ରକାଶ ପାଇଥିଲା। ଏହି ଉତ୍ତେଜନା ପରେ ଏନ୍‌ଟିଏ ଶୀଘ୍ର ଏକ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ଦେଇଛି।

ଏନଟିଏ  ନୋଟିସ୍‌ରେ ପ୍ରକାଶ କରିଛି ଯେ, ସିୟୁଇଟି ୟୁଜି ପରୀକ୍ଷା ପରିଚାଳନା କରୁଥିବା ବୈଷୟିକ ଅଂଶୀଦାର କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ ପକ୍ଷରୁ ଏକ ବଡ଼ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହି ଯାନ୍ତ୍ରିକ ତ୍ରୁଟି ସକାଳ ସିଫ୍ଟ ପରୀକ୍ଷାକୁ ବିଳମ୍ବ କରିଛି। ଏହି ବଡ଼ ତ୍ରୁଟି ବର୍ତ୍ତମାନ ସିଧାସଳଖ ଅପରାହ୍‌ଣ ସିଫ୍ଟକୁ ମଧ୍ୟ ପ୍ରଭାବିତ କରିଛି, ଯାହା ଫଳରେ ଏନ୍‌ଟିଏ ଅପରାହ୍‌ଣ ଅଧିବେଶନକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଛି। ଅସୁବିଧା ପାଇଁ ଏଜେନ୍ସି ଛାତ୍ର ଏବଂ ଅଭିଭାବକଙ୍କୁ କ୍ଷମା ପ୍ରାର୍ଥନା କରିଛି ଏବଂ ସେମାନଙ୍କୁ ଆଶ୍ୱାସନା ଦେଇଛି ଯେ କୌଣସି ପ୍ରାର୍ଥୀଙ୍କୁ ହଇରାଣ ହେବାକୁ ଦିଆଯିବ ନାହିଁ।

ତ୍ରୁଟି ଯୋଗୁ କମ୍ପ୍ୟୁଟର ସ୍କ୍ରିନ୍ ଏବଂ ସର୍ଭରଗୁଡ଼ିକ ଖରାପ ହୋଇଯିବାରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ସିଟ୍‌ରେ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ରକୁ ଅପେକ୍ଷା କରି ବସି ରହିଥିଲେ। ଏନ୍‌ଟିଏ ଦାବି କରିଛି ଯେ, ଯାନ୍ତ୍ରିକ ତ୍ରୁଟି ଏବେ ସମ୍ପୂର୍ଣ୍ଣ ସମାଧାନ ହୋଇଛି ଏବଂ ପ୍ରଭାବିତ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ସୁରୁଖୁରୁରେ ଆରମ୍ଭ ହୋଇଛି। ଅପରାହ୍‌ଣ ସିଫ୍ଟ ସମୟ ପରିବର୍ତ୍ତନ କରାଯାଇଛି। ଅପରାହ୍ନ ୩ଟାର ପରୀକ୍ଷା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି କୁହାଯାଇଛି। କେନ୍ଦ୍ରଗୁଡ଼ିକରେ ଯେପରି କୌଣସି  ବିଶୃଙ୍ଖଳା ନ ହେବ ସେଥିପାଇଁ ନୂତନ ସମୟ ଅନୁଯାୟୀ ପ୍ରାର୍ଥୀମାନଙ୍କୁ ପ୍ରବେଶ ଅନୁମତି ଦେବାକୁ ଏନ୍‌ଟିଏ ସମସ୍ତ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି।   

ad-week
Leave A Reply

Your email address will not be published.