ନିଖିଳ ଉତ୍କଳ କଳାନିକେତନର ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବ

add-all

ପୁରୀ : ପୁରୀ ଗ୍ରାଣ୍ଡ ରୋଡ଼ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ‘କ’ ପ୍ରେକ୍ଷାଳୟ ପରିସରରେ ନିଖିଳ ଉତ୍କଳ କଳାନିକେତନ ପକ୍ଷରୁ ଦୁଇ ଦିନିଆ ନବମ ରାଷ୍ଟ୍ରୀୟ ନାଟକ ଓ ନୃତ୍ୟ ମହୋତ୍ସବ (ଷ୍ଟାର କାଳଚୁରାଲ ଫେଷ୍ଟିଭାଲ ) ମହାସମାରୋହରେ ଶନିବାର ଉଦଘାଟିତ ହୋଇଯାଇଛି। ଜାତୀୟ ସ୍ତରର ପ୍ରଥିତଯଶା ମଞ୍ଚ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ରାଜଗୋପାଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପ୍ରାକ୍ତନ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାର ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉଦଘାଟକ ଭାବେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକାର ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ମୁଖ୍ୟବକ୍ତା ଭାବେ ସୁନାମଧନ୍ୟ ସାରସ୍ୱତ ସାଧକ ଇଂ. ଯାମିନୀ କାନ୍ତ ଦାସ, ବିଶିଷ୍ଟ ଅତିଥି ଭାବେ ଗାନ୍ଧିବାଦୀ ଫୋରମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶ୍ୱଜିତ ସୂର୍ଯ୍ୟବଂଶୀ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ପ୍ରାକ୍ତନ ଅଧିକାରୀ ପ୍ରସନ୍ନ କୁମାର ହୋତା ପ୍ରମୁଖ ସମ୍ମିଳିତ ଭାବେ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହିତ ନୃତ୍ୟ, ସଙ୍ଗୀତ ଓ ନାଟକ କିଭଳି ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡିତ ସେ ସମ୍ପର୍କରେ ସମ୍ୟକ ସିଂହବାଲୋକନ କରିବା ସହିତ ଆମ ଜୀବନ ଯାତ୍ରାରେ ତାହାର ପ୍ରତିଫଳନର ବିଷଦ ବ୍ୟାଖ୍ୟା କରିଥିଲେ।

ଡ଼ା.ତିରୁପତି ସାହୁଙ୍କୁ ଅନୁଷ୍ଠାନ ତରଫରୁ ଜାତୀୟ କଳା ରତ୍ନ ପୁରସ୍କାର ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହି ଭଳି ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ, ନାଟ୍ୟକାର ଯୁଧିଷ୍ଠିର ଭଞ୍ଜ ସାମନ୍ତ, ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, କଣ୍ଠଶିଳ୍ପୀ ପ୍ରିୟଦର୍ଶୀ ପାଳ, ଯୁଶୁଫ ଖାନ୍, ଅଭିନେତା ଦୀପକ କୁମାର ପ୍ରଧାନ ପ୍ରମୁଖଙ୍କୁ ଉତ୍ତରୀୟ ପ୍ରଦାନ ସହ ଆନୁଷ୍ଠାନିକ ସମ୍ମାନ ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ କେତେକ ନୃତ୍ୟଗୁରୁଙ୍କୁ ସମ୍ମାନ ସହ ପୂର୍ବ ଆୟୋଜିତ ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ଶିଳ୍ପୀଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜକ ସଂସ୍ଥା ମୂଖ୍ୟ ବିଶ୍ୱମ୍ବର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମହୋତ୍ସବ ନିର୍ଦ୍ଦେଶିକା ଭାଗ୍ୟବତୀ ସାହୁ, କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ସ୍ଥାନୀୟ ବିଭିନ୍ନ ନୃତ୍ୟାନୁଷ୍ଠାନର ଛାତ୍ରୀମାନଙ୍କ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ବିଶେଷ ଆକୃଷ୍ଟ କରିଥିଲା।

ad-week
Leave A Reply

Your email address will not be published.