
କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି)ର ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳର ଆଭ୍ୟନ୍ତରୀଣ ସ୍ଥିତି ଜଟିଳ ରୂପ ନେଇଛି। ଦଳରେ ଲାଗି ରହିଥିବା ବଡ଼ ଧରଣର ସାଂଗଠନିକ ସଙ୍କଟ ଏବେ ସାମନାକୁ ଆସିଛି। ଦଳର ଦୁଇ ଶୀର୍ଷ ନେତା ଅଭିଷେକ ବାନାର୍ଜୀ ଏବଂ କଲ୍ୟାଣ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଦଳ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଳୀଘାଟ ବାସଭବନରେ ଆଜି ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ୬୦ ଜଣ ବିଧାୟକ ବର୍ଜନ କରିଛନ୍ତି। ଏହି ଅଭାବନୀୟ ପରିସ୍ଥିତି ଯୋଗୁଁ ବୈଠକ ବାତିଲ କରିବାକୁ ପଡ଼ିଛି, ଯାହା ମମତାଙ୍କ କ୍ଷମତା ଏବଂ ଦଳୀୟ ନିୟନ୍ତ୍ରଣ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଟିଏମ୍ସି ବିଧାୟକ ଦଳ ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଏହି ଜରୁରୀକାଳୀନ ବୈଠକ ଡକାଯାଇଥିଲା। ଟିଏମ୍ସିର ୮୦ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୨୦ ଜଣ ଏଥିରେ ଯୋଗ ଦେଇଥିଲେ। ଫିରହାଦ ହାକିମ, ନୟନା ବାନାର୍ଜୀ, ମଦନ ମିତ୍ର, ଅଶୀମା ପାତ୍ର ଏବଂ କୁନାଲ ଘୋଷଙ୍କ ଭଳି କିଛି ବରିଷ୍ଠ ନେତା ଉପସ୍ଥିତ ରହି ନିଜର ଆନୁଗତ୍ୟ ପ୍ରକାଶ କରିଥିଲେ ମଧ୍ୟ ୬୦ ଜଣ ବିଧାୟକ ସମ୍ପୂର୍ଣ୍ଣ ଅନୁପସ୍ଥିତ ରହିବା ସହ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ। ଦଳର ମୁଖପାତ୍ର କୁନାଲ ଘୋଷ ଦାବି କରିଛନ୍ତି ଯେ ନେତାମାନଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ବିଧାୟକମାନେ ନିଜ ନିଜ ଅଞ୍ଚଳରେ ବ୍ୟସ୍ତ ଅଛନ୍ତି, କିନ୍ତୁ ଏହି ସଫେଇ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଦଳ ଭିତରେ ବଢ଼ି ଚାଲିଥିବା ଅସନ୍ତୋଷଏହି ସାଂଗଠନିକ ସଙ୍କଟର ମୁଖ୍ୟ କାରଣ ବୋଲି କୁହାଯାଉଛି।
ପ୍ରଥମେ ସୋନାରପୁରଠାରେ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ଏହାର କିଛି ଘଣ୍ଟା ମଧ୍ୟରେ ହୁଗୁଳିର ଚାନ୍ଦିତଲାଠାରେ କଲ୍ୟାଣ ବାନାର୍ଜୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଦଳୀୟ ବିଧାୟକମାନେ ବୈଠକକୁ ନଆସିବା ଏକ ନିରବ ବିଦ୍ରୋହ ବୋଲି କୁହାଯାଉଛି। ୨୦୧୧ ମସିହାରୁ ପଶ୍ଚିମବଙ୍ଗରେ ଏକଛତ୍ର ଶାସନ କରିଆସିଥିବା ଟିଏମ୍ସିର ଶୃଙ୍ଖଳା ନିର୍ବାଚନୀ ପରାଜୟ ପରେ ଦୋହଲି ଯାଇଛି, ଯାହାର ସିଧାସଳଖ ଫାଇଦା ଶାସକ ବିଜେପିକୁ ଯାଉଛି।
