
ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ କମ୍ ସଂଖ୍ୟକ ଲୋକ ବିମାନରେ ଯାତ୍ରା କରିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟ ଅନୁସାରେ ଏପ୍ରିଲ୍ରେ ୧.୩୮ କୋଟି ଯାତ୍ରୀ ବିମାନରେ ଯାତ୍ରା କରିଥିଲେ। ଏହି ସଂଖ୍ୟା ଗତବର୍ଷର ୧.୪୩ କୋଟି ତୁଳନାରେ ୩.୪୭ ପ୍ରତିଶତ କମ୍। ଚଳିତ ବର୍ଷ ମାର୍ଚ୍ଚ ତୁଳନାରେ ମଧ୍ୟ ଉକ୍ତ ସଂଖ୍ୟା ୪.୨ ପ୍ରତିଶତ କମ୍।ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଦେଶର ଏୟାରଲାଇନ୍ଗୁଡ଼ିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଗୋଟିଏ ପଟେ ଚାହିଦା ହ୍ରାସ ପାଇଥିବା ବେଳେ ଅନ୍ୟପଟେ ତେଲ ଦର ବଢ଼ିବାରୁ ପରିଚାଳନା ଖର୍ଚ୍ଚ ବଢ଼ିଛି। ତେଣୁ ସେମାନେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍ରେ ଉଡ଼ାଣ ହ୍ରାସ କରିଛନ୍ତି।
ଡିଜିସିଏ ତଥ୍ୟ ଅନୁସାରେ ଏପ୍ରିଲ୍ରେ ଇଣ୍ଡିଗୋର ବଜାର ଅଂଶ ୬୩.୩ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏୟାର ଇଣ୍ଡିଆ ଗ୍ରୁପ୍ର ବଜାର ଅଂଶ ୨୬.୨ ପ୍ରତିଶତରୁ ୨୪.୭ ପ୍ରତିଶତକୁ ହ୍ରାସ ପାଇଛି। ଆକାଶ ଏୟାରର ବଜାର ଅଂଶ ୫.୪ ପ୍ରତିଶତରୁ ୫.୮ ପ୍ରତିଶତ ଏବଂ ସ୍ପାଇସ୍ଜେଟ୍ର ବଜାର ଅଂଶ ୩.୪ ପ୍ରତିଶତରୁ ୩.୮ ପ୍ରତିଶତକୁ ବୃଦ୍ଧି ପାଇଛି।
ଆଲୋଚ୍ୟ ମାସରେ ଗ୍ରାହକମାନଙ୍କଠାରୁ ୩୨୬୬ଟି ଅଭିଯୋଗ ଆସିଥିଲା। ସମୟାନୁବର୍ତ୍ତିତା ଦୃଷ୍ଟିରୁ ୮୮.୫ ପ୍ରତିଶତ ଅନ-ଟାଇମ୍ ପରଫର୍ମାନ୍ସ (ଓଟିପି) ସହ ଇଣ୍ଡିଗୋ ଏକ ନମ୍ବର ରହିଥିଲା। ଏୟାର ଇଣ୍ଡିଆର ଓଟିପି ୮୨.୪ ପ୍ରତିଶତ, ଆକାଶ ଏୟାରର ୮୧.୪ ପ୍ରତିଶତ, ଆଲାଏନ୍ସ ଏୟାରର ୭୧.୨ ପ୍ରତିଶତ ଓ ସ୍ପାଇସ୍ଜେଟ୍ର ୩୧.୨ ପ୍ରତିଶତ ରହିଛି। ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଅହମଦାବାଦ, କୋଚିନ, ଗୌହାଟୀ ଓ ଲକ୍ଷ୍ନୌରେ ଏୟାରଲାଇନମାନଙ୍କ ପ୍ରଦର୍ଶନ ବିଚାରକୁ ନେଇ ସେମାନଙ୍କ ସମୟାନୁବର୍ତ୍ତିତା ନିର୍ଧାରଣ କରାଯାଉଛି।
ଗତ ମାସସେ ୧.୧୨ ପ୍ରତିଶତ ବିମାନର ଉଡ଼ାଣ ଦୁଇ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା। ଫଳରେ ୧.୩୫ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଥିଲେ। ଉଡ଼ାଣ ରଦ୍ଦ ହେବା ଦ୍ବାରା ପ୍ରଭାବିତ ହୋଇଥିବା ୭୭,୦୬୫ ଜଣ ଯାତ୍ରୀଙ୍କ ରହଣୀ ପାଇଁ ଏୟାରଲାଇନ୍ଗୁଡ଼ିକ ୨.୪୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଓ ଯାତ୍ରୀମାନଙ୍କୁ ୨.୦୪ କୋଟି ଟଙ୍କାର କ୍ଷତିପୂରଣ ଦେଇଥିଲେ। ଗତ ଏପ୍ରିଲ୍ରେ ୬୪୧ ଜଣକୁ ବିମାନରେ ପ୍ରବେଶ କରିବାରୁ ରୋକାଯାଇଥିଲା।
