ଆନ୍ତଃରାଜ୍ୟ ଜୁଆ ରାକେଟର ପର୍ଦ୍ଦାଫାସ କଲା ରାଉରକେଲା ପୋଲିସ: ୨୮ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ବିପୁଳ ସୁନା-ରୂପା ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ଆନ୍ତଃରାଜ୍ୟ ଜୁଆ ରାକେଟର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ। ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗାଁରେ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।
ଏହି ସ୍ୱତନ୍ତ୍ର ଅପରେସନ ସମୟରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜୁଆ ଆଡ୍ଡାରୁ ପ୍ରାୟ ୨୮.୩୯ ଲକ୍ଷ ଟଙ୍କାର ନଗଦ ଅର୍ଥ, ୪୦୫ ଗ୍ରାମ ସୁନା ଅଳଙ୍କାର ଏବଂ ୬୦୦ ଗ୍ରାମ ରୂପା ଅଳଙ୍କାର ଜବତ କରାଯାଇଛି। ଏହା ବ୍ୟତୀତ ୩ଟି ଚାରିଚକିଆ ଗାଡ଼ି, ୪ଟି ମୋଟରସାଇକେଲ, ୪ଟି ମୋବାଇଲ ଫୋନ, ୬୮ଟି ଡାଇସ, ବାଉଁଶ ଟୋକେଇ ଏବଂ ଏକ ନଗଦ ଟଙ୍କା ଗଣିବା ମେସିନ ମଧ୍ୟ ପୋଲିସ ଜବତ କରିଛି।
ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ରାକେଟରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଜାରି ରଖିଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ଖୋଳତାଡ଼ କରୁଛି। ସୀମାନ୍ତ ଅଞ୍ଚଳରେ ଏଭଳି ବେଆଇନ କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
