ପ୍ରଥମ ସିଏମ୍ ଟ୍ରଫି–୨୦୨୬ କବାଡି ଚାମ୍ପିୟନସିପ୍ :ଫାଇନାଲରେ ସୁନ୍ଦରଗଡ଼କୁ ଭେଟିବ ବାଲେଶ୍ୱର (ବାଳକ ବର୍ଗ) ଓ ବାଳିକା ବର୍ଗରେ ପୁରୀ ବନାମ ଗଞ୍ଜାମ

ବ୍ରହ୍ମପୁର, ୦୯ ଜୁନ: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ କବାଡି ଚାମ୍ପିୟନସିପ୍–୨୦୨୬ର ଦ୍ୱିତୀୟ ଦିନରେ ଅନ୍ତଃ–୧୬ ବର୍ଷୀୟ ବାଳକ ଓ ବାଳିକା ବର୍ଗର ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।
ପ୍ରତିଯୋଗିତାଟି ପ୍ରଥମେ ରାଜ୍ୟର ଚାରୋଟି ଜୋନ୍ରେ ଆୟୋଜିତ ହୋଇଥିଲା। ବ୍ରହ୍ମପୁର ଜୋନ୍ରେ ବାଳକ ବର୍ଗରୁ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଏବଂ ଗଞ୍ଜାମ ଦଳ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ବାଳିକା ବର୍ଗରୁ ସମ୍ବଲପୁର, ପୁରୀ, ଅନୁଗୁଳ ଏବଂ ଗଞ୍ଜାମ ଦଳ ସେମିଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଥିଲେ।
ବାଳକ ବର୍ଗର ସେମିଫାଇନାଲ ମ୍ୟାଚ୍ରେ ଗଞ୍ଜାମ ଓ ସୁନ୍ଦରଗଡ଼ ମଧ୍ୟରେ ରୋମାଞ୍ଚକର ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଦଳ ୪୬–୪୦ ପଏଣ୍ଟରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି।

ସେହିପରି ବାଳିକା ବର୍ଗର ସେମିଫାଇନାଲ ମ୍ୟାଚ୍ରେ ଅନୁଗୁଳ ଓ ପୁରୀ ଦଳ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍ରେ ପୁରୀ ଦଳ ୫୭–୧୮ ପଏଣ୍ଟରେ ବିଜୟ ହାସଲ କରି ଫାଇନାଲରେ ସ୍ଥାନ ପକ୍କା କରିଛି।
ଆସନ୍ତା ୧୦ ଜୁନ ୨୦୨୬ ତାରିଖରେ ବାଳକ ବିଭାଗର ଫାଇନାଲ ମ୍ୟାଚ୍ରେ ସୁନ୍ଦରଗଡ଼ ଜିଲ୍ଲା ବାଳକ ଦଳ ଓ ବାଲେଶ୍ୱର ଜିଲ୍ଲା ବାଳକ ଦଳ ପରସ୍ପରକୁ ଭେଟିବେ। ସେହିପରି ବାଳିକା ବିଭାଗର ଫାଇନାଲ ମ୍ୟାଚ୍ରେ ପୁରୀ ଜିଲ୍ଲା ବାଳିକା ଦଳ ଓ ଗଞ୍ଜାମ ଜିଲ୍ଲା ବାଳିକା ଦଳ ମଧ୍ୟରେ ଟକ୍କର ହେବ। ଏହି ଦୁଇଟି ଫାଇନାଲ ମ୍ୟାଚ୍କୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଏହି ସେମିଫାଇନାଲ ପ୍ରତିଯୋଗିତାରେ ଓଡ଼ିଶା କବାଡି ସଂଘର ଉପ-ସଭାପତି ଶ୍ରୀ ପୃଥ୍ୱୀରାଜ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହାସହ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ଓଡ଼ିଶା ଓଲିମ୍ପିକ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଜେ. କାମେଶ୍ୱର ରାଓ, ଶ୍ରୀ କେଦାରନାଥ ଚୌଧୁରୀ, ଶ୍ରୀ ଦୁର୍ଗା ପଟ୍ଟନାୟକ, ଡ଼. ଡି.ଡି. ଗନ୍ତାୟତ, ଡ଼. ବାବୁ ରାଓ, ଶ୍ରୀ ରାଜ ନାରାୟଣ ପାତ୍ର, ଶ୍ରୀ ପ୍ରମୋଦ ମହାରଣା, ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଶ୍ରୀ ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ଡ଼. ଆପ୍ପା ରାଓ ଏବଂ ଶ୍ରୀ ସୀତାରାମ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ସୂଚନା ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ଓଡ଼ିଶା ଓଲିମ୍ପିକ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଜେ. କାମେଶ୍ୱର ରାଓ ପ୍ରଦାନ କରିଛନ୍ତି।
