ସଡ଼କ ଦୁର୍ଘଟଣାରେ ଫରେଷ୍ଟ ଗାର୍ଡ ଗୁରୁତର

add-all

ମାଲକାନଗିରି, ୧୨।୬ ମାଲକାନଗିରି ସଦର ମହକୁମାର ଡିଏନକେ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଫରେଷ୍ଟ ଗାର୍ଡ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଫରେଷ୍ଟ ଗାର୍ଡ ହେଲେ ରଶ୍ମିତା ସୁବୁଦ୍ଧି। ସୂଚନା ଅନୁଯାୟୀ, ଡିଏନ୍‌କେ ଟ୍ରାଫିକ ଛକ ନିକଟରେ ରଶ୍ମିତା ଏକ ସ୍କୁଟିରେ ଯାଉଥିବା ବେଳେ ଟ୍ରାଫିକ ସିଗ୍ନାଲର ନାଲି ବତି ଜଳିବାରୁ ସେ ଅଟକି ଯାଇଥିଲେ। ପରେ ସିଗ୍ନାଲ ସବୁଜ ହେବା ପରେ ସ୍କୁଟି ଆଗକୁ ବଢ଼ିଥିବା ସମୟରେ ପଛପଟୁ ଆସୁଥିବା ଏକ ନଳକୂପ ନିର୍ମାଣ କାମରେ ନିୟୋଜିତ ହେବାକୁ ଯାଉଥିବା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରଶ୍ମିତା ରାସ୍ତାରେ ପଡ଼ିଯାଇଥିବା ବେଳେ ଟ୍ରକ୍‌ର ପଛ ଚକ ତାଙ୍କ ବାମ ହାତ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୋଲିସଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ଉନ୍ନତ ଚିକିତ୍ସା ପାଇଁ ବାହାରକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।

ଦୁର୍ଘଟଣା ଖବର ପାଇବା ପରେ ମାଲକାନଗିରି ଡିଏଫଓ ସାଇ କିରଣଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରଶ୍ମିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଆବଶ୍ୟକ ଚିକିତ୍ସା ସେବା ଯୋଗାଇବା ସହ ଉନ୍ନତ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରଶ୍ମିତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ମହଳରେ ଚିନ୍ତା ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.