ହରଡ ଘଣାରେ ଶରଣକୁଳ ଥାନା ଅଧିକାରୀ : ପ୍ରେମ ନିବେଦନ ପଡିଲା ମହଙ୍ଗା,ଏସପିଙ୍କୁ ଭେଟିଲେ ପିଡୀତା…
ରକ୍ଷକ ହୋଇ ଭକ୍ଷକ ସାଜିଲେ ଥାନା ଅଧିକାରୀ…!

ନୟାଗଡ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପୂର୍ବତନ ଏସଡିପିଓ ମଦନ ମୋହନ ପ୍ରଧାନ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ନିଲମ୍ବିତ ହେବ ଘଟଣା ଲୋକମାନଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଥରେ ଜଣେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆସିଛି ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାଶଙ୍କ ନାମରେ ।ଏହି ଘଟଣା ବାବଦରେ କାହାରିକୁ ଜଣାଇଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା କଥାକୁ ନେଇ ଏସ୍ପିଙ୍କୁ ଅଭିଯୋଗ କରିଛନ୍ତି ମହିଳା ଜଣକ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଶରଣକୁଳ ଥାନା ଅଂଚଳରେ ମହିଳାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା ।ଏହାକୁ ନେଇ ମହିଳା ଜଣକ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ମାତ୍ର ଅନେକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲେ ।ମହିଳା ଜଣକ ବାରମ୍ବାର ଥାନାକୁ ଆସିବା ପରେ ଥାନା ଅଧିକାରୀ ସୁଜିତ କୁମାର ଦାଶ ତାଙ୍କର ଫୋନ ନମ୍ବର ନେବା ସହିତ ଘଟଣାର ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।କିନ୍ତୁ ରକ୍ଷକ ହୋଇ ଭକ୍ଷକ ସାଜିଲେ ଥାନା ଅଧିକାରୀ।ନ୍ୟାୟ ଦେବା ପରିବର୍ତ୍ତେ ମହିଳାଙ୍କୁ ଫୋନରେ ପ୍ରେମ ନିବେଦନ କରି ନିଜର କ୍ୱାର୍ଟରକୁ ଡାକି ଜୋର ଜବରଦସ୍ତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ।ଏହି ଘଟଣା କାହାରିକୁ ଜଣାଇଲେ ମିଛ ମାମଲାରେ ଫାସାଇଦେବା ସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।ଲୋକଲଜ୍ୟା ଭୟରେ ମହିଳା ଜଣକ କାହାରିକୁ ଜଣାଇ ନଥିବା ବେଳେ ଥାନା ଅଧିକାରୀ କିନ୍ତୁ ମହିଳାଙ୍କୁ ଭିଡିଓ କଲ କରିବା, ଖରାପ ମେସେଜ କରିବା, ଅଶ୍ଳୀଳ ଫଟୋ ଓ ଭିଡିଓ ଛାଡ଼ିବା ପାଇଁ ବାଧ୍ୟ କରୁଥିଲେ ।ଏହାକୁ ନେଇ ପୀଡିତ ଜଣକ ଏସପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ।ଏହାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଥାନା ଅଧିକାରୀଙ୍କୁ ଅନେକ ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ ।ମହିଳାଙ୍କ ଅଭିଯୋଗ ଆଧାରରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ମାମଲାର ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ଵାରା ଚାଲିବ ବୋଲି ଜଣାପଡିଛି।
