ପହଁରା ଶିଖିବେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ, ପାଣିରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

add-all

ଭୁବନେଶ୍ୱର: ପ୍ରତିବର୍ଷ ପାଣିରେ ବୁଡ଼ି ଶହ ଶହ ଲୋକଙ୍କ ଜୀବନ ଯାଉଛି। ନଦୀ, କେନାଲ ଏବଂ ସମୁଦ୍ରରେ ବୁଡ଼ି ଲୋକଙ୍କର ଜୀବନ ଯିବା ଏକ ଚିନ୍ତାଜନକ ବିଷୟ ପାଲଟିଛି। ଗତ ୫ ବର୍ଷରେ ପାଣିରେ ବୁଡ଼ି ଯିବା ଯୋଗୁଁ ଓଡ଼ିଶାରୁ ପ୍ରାୟ୯ ହଜାର ଲୋକ ମରିଛନ୍ତି। ଏହି ଚିନ୍ତାଜନକ ପରିସଂଖ୍ୟନକୁ ଗୁରୁତର ସହ ନେଇଛନ୍ତି ସରକାର। ତେଣୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ପହଁରା ଶିଖାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ଜଳାଶୟର ବିପଦସଂକୁଳ ପଏଣ୍ଟରେ ଲାଇଫ୍‌ ଗାର୍ଡ ମୁତୟନ କରାଯିବ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ରିଲିଫ୍‌ କମିଶନର ପଦ୍ମନାଭ ବେହେରା ରହି ପାଣିରେ ବୁଡ଼ି ମୃତ୍ୟୁର କାରଣ ଓ ପ୍ରତିକାରାତ୍ମକ ପଦକ୍ଷେପ ନେଇ ଆଲୋଚନା କରିଥିଲେ। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପାଣିରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ଆଗାମୀ ଦିନରେ ସହରଠୁ ଗାଁ ଯାଏ ବ୍ୟାପକ ଜନସେଚତନତା ସୃଷ୍ଟି କରାଯିବ। ଭୌଗୋଳିକ ସ୍ଥିତି ଓ ଜଳାଶୟର ପ୍ରକୃତି ଆଧାରରେ ତଥ୍ୟ ବିଶ୍ଲେଷଣ କରାଯାଇ ବିପଦପୂର୍ଣ୍ଣ ସ୍ଥାନ ବା ବୁଡ଼ି ପ୍ରବଣ ବ୍ଲାକ୍‌ ସ୍ପଟ୍‌କୁ ଚିହ୍ନଟ କରାଯିବ। ସେଠାରେ ସତର୍କ ସଙ୍କେତ, ସୁରକ୍ଷା ରେଲିଂ, ବ୍ୟାରିକେଡ୍‌ କରାଯିବ। ଖୋଲା କୂଅରେ ଆବରଣଯୁକ୍ତ ତାରଜାଲି ବିଛାଯିବ।

ପ୍ରତି ଗ୍ରାମ ପଞ୍ଚାୟତରେ ଅତିକମ୍‌ରେ ଜଣେ କି ଦୁଇଜଣଙ୍କୁ ଜୀବନ ରକ୍ଷକ (ଲାଇଫ୍‌ଗାର୍ଡ) ଭାବେ ପ୍ରଶିକ୍ଷଣ ଦିଆଯିବ। ପର୍ଯ୍ୟଟନସ୍ଥଳୀରେ ଥିବା ଜଳାଶୟରେ ଲାଇଫ୍‌ଗାର୍ଡ ମୁତୟନ କରାଯିବ। ଏନ୍‌ସିସି, ସିଭିଲ ଡିଫେନ୍ସ ଓ ଯୁବ ସଂଗଠନର ସ୍ୱେଚ୍ଛାସେବୀଙ୍କୁ ଜଳରୁ ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ନେଇ ପ୍ରଶିକ୍ଷଣ ଦିଆଯିବ। ଏହି ଅଭିଯାନକୁ ସଫଳ କରିବା ପାଇଁ ଅଗ୍ନିଶମ ସେବା, ପୋଲିସ, ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ୱତନ୍ତ୍ର ରିଲିଫ କମିଶନର, ଜଳସମ୍ପଦ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିତ ଭାବେ ଏକ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.