୩ ବର୍ଷର ବଦଳି ନିୟମ କେବଳ କାଗଜକଲମରେ ?

add-all

ରାଜସୁନାଖଳାରେ ବିଭିନ୍ନ ବିଦ୍ୟାଳୟରେ ବହୁ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ନୟାଗଡ଼ (ନିସର୍ତ୍ତ) : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଦାୟିତ୍ୱବାନ କରିବା ପାଇଁ ସମୟ ସମୟରେ ବିଭିନ୍ନ ନୀତି ଓ ନିୟମ ଲାଗୁ କରୁଛନ୍ତି। ସେଥି ମଧ୍ୟରୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ବ୍ୟବସ୍ଥା ମଧ୍ୟ ଏକ ପ୍ରମୁଖ ନିୟମ। କିନ୍ତୁ ନୟାଗଡ଼ ଜିଲ୍ଲାର ରାଜସୁନାଖଳା ଅଞ୍ଚଳରେ ଏହି ନିୟମର ବାସ୍ତବ ଚିତ୍ରକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ୩ ବର୍ଷ ପରେ ବଦଳିର ବ୍ୟବସ୍ଥା ଥିଲେ ମଧ୍ୟ ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ବର୍ଷ ବର୍ଷ ଧରି ସମାନ ବିଦ୍ୟାଳୟରେ କାର୍ଯ୍ୟରତ ରହିଛନ୍ତି। କେତେକ କ୍ଷେତ୍ରରେ ୧୦ ବର୍ଷରୁ ଅଧିକ ସମୟ ଧରି ଏକା ସ୍ଥାନରେ କାର୍ଯ୍ୟ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଯଦି ଏହି ଅଭିଯୋଗ ସତ୍ୟ, ତେବେ ବଦଳି ନୀତିର ପାଳନ କେଉଁଠି ହେଉଛି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
ସ୍ଥାନୀୟ ଅଭିଭାବକମାନଙ୍କ କହିବା ଅନୁଯାୟୀ, ନିୟମିତ ବଦଳି ହେଲେ ବିଦ୍ୟାଳୟରେ ନୂତନ ଚିନ୍ତାଧାରା, ଶିକ୍ଷାଦାନ ପଦ୍ଧତି ଏବଂ ପ୍ରଶାସନିକ ସନ୍ତୁଳନ ବଜାୟ ରହିଥାଏ।

କିନ୍ତୁ ବହୁ ବର୍ଷ ଧରି ଏକା ସ୍ଥାନରେ ରହିବା ଦ୍ୱାରା ସ୍ୱଚ୍ଛତା ଓ ସୁଶାସନ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଅନ୍ୟପଟେ ଅନେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ବେଳେ, କିଛି ବିଦ୍ୟାଳୟରେ ଦୀର୍ଘଦିନ ଧରି ସମାନ ଶିକ୍ଷକ ରହିବାରୁ ଶିକ୍ଷା ବ୍ୟବସ୍ଥାର ସନ୍ତୁଳନ ନଷ୍ଟ ହେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ସଚେତନ ନାଗରିକମାନେ ଦାବି କରିଛନ୍ତି ଯେ, ରାଜସୁନାଖଳା ଅଞ୍ଚଳର ସମସ୍ତ ବିଦ୍ୟାଳୟରେ କେଉଁ ଶିକ୍ଷକ କେତେ ବର୍ଷ ଧରି କାର୍ଯ୍ୟରତ ଅଛନ୍ତି ତାହାର ତାଲିକା ସାର୍ବଜନୀନ କରାଯାଉ। ଏହା ସହିତ ବଦଳି ନୀତିକୁ ସ୍ୱଚ୍ଛ ଭାବେ କାର୍ଯ୍ୟକାରୀ କରି ଯୋଗ୍ୟତା ଓ ନିୟମ ଆଧାରରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ନିଶ୍ଚିତ କରାଯାଉ। ତେବେ ଏହି ଅଭିଯୋଗ ସମ୍ପର୍କରେ ଶିକ୍ଷା ବିଭାଗ କିମ୍ବା ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ସେମାନଙ୍କ ପକ୍ଷ ମିଳିବା ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.