ଭୂସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ବନ୍ଦ: ପୁଲିସର ନାକାବନ୍ଦୀ, ବିକଳ୍ପ ରାସ୍ତାରେ ଯାତାୟାତ ପାଇଁ ପରାମର୍ଶ

ବାଲିଗୁଡ଼ା : ଲଘୁଚାପଜନିତ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାରେ ଯାତାୟାତ ଉପରେ କଟକଣା ଲାଗୁ ହେବା ପରେ ଯାତ୍ରୀବାହୀ ବସ୍‌ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ବିଶେଷକରି ଫୁଲବାଣୀରୁ ବ୍ରହ୍ମପୁର, ଭୁବନେଶ୍ୱର ଓ ଭଞ୍ଜନଗର ଅଭିମୁଖେ ଯାତାୟାତ କରୁଥିବା ବସ୍‌ଗୁଡ଼ିକର ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ବର୍ଷା ଜାରି ରହିଥିବାରୁ କଳିଙ୍ଗା ଘାଟିର ପଥପ୍ରାନ୍ତ ନିକଟରେ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇ ଯାନବାହନ ଯାଞ୍ଚ ସହ ଯାତାୟାତ ନିୟନ୍ତ୍ରଣ କରାଯାଉଛି। ଘାଟି ରାସ୍ତା ଦେଇ ଆସୁଥିବା ଅନେକ ଯାନବାହନକୁ ପୁଲିସ ପକ୍ଷରୁ ଟିକାବାଲି-ଚକାପାଦ ରାସ୍ତା ଦେଇ ଯାତାୟାତ କରିବାକୁ ପରାମର୍ଶ ଦିଆଯାଉଛି। ଜି.ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ଏହି ସୁରକ୍ଷା ଓ ଯାତାୟାତ ନିୟନ୍ତ୍ରଣ କାର୍ଯ୍ୟ ଜାରି ରହିଛି। ସେହିପରି ପ୍ରବଳ ବର୍ଷା ଓ ବାତ୍ୟା ଆଶଙ୍କାକୁ ନଜରରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ଏହି ପଦକ୍ଷେପକୁ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା କୁହାଯାଇଛି।

ad-week
Leave A Reply

Your email address will not be published.