
କୋରାପୁଟ, ୦୭/୧୧/୨୦୨୬: କୋରାପୁଟ ଜିଲ୍ଲାର ଗୌରବମୟ ଐତିହ୍ୟ, କଳା, ସଂସ୍କୃତି ଓ ଆଦିବାସୀ ପରମ୍ପରାର ଅନନ୍ୟ ପରିଚୟ ବହନ କରୁଥିବା ୨୯ତମ ‘କୋରାପୁଟ ପରବ-୨୦୨୬’ର ସୁଚାରୁ ତଥା ସଫଳ ଆୟୋଜନ ନିମନ୍ତେ କୋରାପୁଟ ସଂସ୍କୃତି ପରିଷଦ ପକ୍ଷରୁ ଆଜି କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଏସଡିସି (ସ୍ୱତନ୍ତ୍ର ଉନ୍ନୟନ ପରିଷଦ) ଅଧ୍ୟକ୍ଷ ଭଗବାନ ମୁଦୁଲି, କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, କୋରାପୁଟ ଡିଏଫଓ ସିଦ୍ଧାର୍ଥ ଜୈନ, କୋରାପୁଟ ଉପଜିଲ୍ଲାପାଳ ଫାବି ରଶିଦ, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ନିର୍ବାଚିତ ଜନପ୍ରତିନିଧିମାନେ ଯୋଗଦେଇଥିଲେ।
ଏହି ବୈଠକରେ ଚଳିତ ବର୍ଷର ପରବକୁ ଅଧିକ ଶୃଙ୍ଖଳିତ, ସୁରକ୍ଷିତ ତଥା ଆକର୍ଷଣୀୟ ଭାବେ ଆୟୋଜନ କରିବା ସହ ଏହାର ସଫଳ ପରିଚାଳନା ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଉତ୍ସବ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ସୁଗମ ଯାତାୟାତ ବ୍ୟବସ୍ଥା, ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା, ପ୍ରବଳ ଭିଡ଼ର ସଠିକ୍ ନିୟନ୍ତ୍ରଣ, ଆଗନ୍ତୁକ ତଥା ପର୍ଯ୍ୟଟକଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଯୋଗାଣ ଏବଂ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଥିଲା। ଏହା ସହିତ କୋରାପୁଟର ପ୍ରସିଦ୍ଧ ପାରମ୍ପରିକ ଆଦିବାସୀ ନୃତ୍ୟ ‘ଢେମ୍ସା’କୁ ବ୍ୟାପକ ସ୍ତରରେ ସାମିଲ କରିବା ଏବଂ ଏହା ମାଧ୍ୟମରେ ସମଗ୍ର ଜିଲ୍ଲାର ସମୃଦ୍ଧ ଲୋକକଳା ତଥା ଅନନ୍ୟ ଆଦିବାସୀ ସାଂସ୍କୃତିକ ପରିଚୟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।
ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୧୫ ନଭେମ୍ବର ୨୦୨୬ ତାରିଖରେ କୁନ୍ଦ୍ରାସ୍ଥିତ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚ୍ଚନା ପୂର୍ବକ ୨୯ତମ କୋରାପୁଟ ପରବର ଶୁଭାରମ୍ଭ କରାଯିବ। ଏହା ପରେ ମୁଖ୍ୟ ପରବ ମହୋତ୍ସବ ଆସନ୍ତା ୧୮ ଡିସେମ୍ବରରୁ ୨୨ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ କୋରାପୁଟ ଷ୍ଟାଡିୟମ ପରିସରରେ ଧୁମଧାମରେ ଆୟୋଜିତ ହେବ। ଏହି ସମୟରେ ଜିଲ୍ଲାର ପ୍ରତିଟି ବ୍ଲକରୁ ସାଂସ୍କୃତିକ ଦଳଗୁଡ଼ିକ ଅଂଶଗ୍ରହଣ କରିବା ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ବୈଠକରେ ଉପସ୍ଥିତ କୋରାପୁଟର ବୁଦ୍ଧିଜୀବୀ ତଥା ସାଧାରଣ ଜନତା ମଧ୍ୟ ନିଜ ନିଜର ମତାମତ, ସୃଜନଶୀଳ ପ୍ରସ୍ତାବ ଓ ମୂଲ୍ୟବାନ ପରାମର୍ଶ ଉପସ୍ଥାପନ କରିଥିଲେ। ସମସ୍ତ ବର୍ଗର ଲୋକଙ୍କ ସହଯୋଗ, ସକ୍ରିୟ ଭାଗୀଦାରୀ ତଥା ପ୍ରଶାସନିକ ସମନ୍ୱୟରେ ଏହି ୨୯ତମ କୋରାପୁଟ ପରବକୁ ଅଧିକ ଲୋକାଭିମୁଖୀ, ଜନଆକର୍ଷକ ଓ ଚିରସ୍ମରଣୀୟ କରିବା ପାଇଁ ସଭାରେ ସର୍ବସମ୍ମତ ସଂକଳ୍ପ ନିଆଯାଇଥିଲା।
