
କୋରାପୁଟ (କୋଟପାଡ଼), ତା. ୦୫/୧୧/୨୦୨୬: କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଛି ବିବାଦୀୟ କୋଟିଆ ଗ୍ରାମପଞ୍ଚାୟତ। ଏଠାରେ ପ୍ରାୟ ୨୧ ଗୋଟି ଛୋଟବଡ଼ ଗାଁ ରହିଛି। ଗତ ଅକ୍ଟୋବର ୧୦ ତାରିଖରେ ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ ଆନ୍ଧ୍ରପ୍ରଦେଶ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଥିଲେ। ସେହି ଅନୁଯାୟୀ ଗୁରୁବାର ସକାଳୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଓଡ଼ିଶା ପ୍ରଶାସନ ଏବଂ ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀମାନେ କୋଟିଆ ପଞ୍ଚାୟତରେ ନିର୍ବାଚନ କରାଇ ନ ଦେବା ପାଇଁ ଗତ ତିନି ଦିନ ଧରି ନିରନ୍ତର ପ୍ରୟାସ ଜାରି ରଖିଥିଲେ। କିନ୍ତୁ ଆନ୍ଧ୍ର ସରକାର କୋଟିଆ ଭିତରେ ବୁଥ୍ ନ କରି ନିଜ ସୀମାନ୍ତ ଅଞ୍ଚଳରେ ଥିବା ସିଲେରୁ ଗ୍ରାମରେ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରିଥିଲେ। ଏଥିସହିତ ଗତ ଆଠ ଦିନ ଧରି କୋଟିଆ ଗ୍ରାମପଞ୍ଚାୟତର ଭୋଟରମାନଙ୍କୁ ବିଭିନ୍ନ ପ୍ରଲୋଭନ ଓ ଅର୍ଥର ଲାଳସା ଦେଖାଇ ଗାଁ ଗାଁରେ ଏଜେଣ୍ଟ ନିୟୋଜିତ କରି ନିର୍ବାଚନ କରାଇବାରେ ସଫଳ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳରୁ ପ୍ରାୟ ୮୫୦ଟି ଭୋଟ୍ ପଡ଼ିଛି। ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସେଠାକାର ଅନେକ ଲୋକଙ୍କ ଆଭିମୁଖ୍ୟ ଏବେ ମଧ୍ୟ ଆନ୍ଧ୍ର ପ୍ରତି ରହିଛି। ଏପରି ସ୍ଥିତିରେ ଓଡ଼ିଶା ସରକାର ଯଦି ତୁରନ୍ତ ଦୃଢ଼ ତଥା କଠୋର ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଭବିଷ୍ୟତରେ କୋଟିଆ ଭୂଖଣ୍ଡ ପାଇଁ ଏକ ବଡ଼ ବିପଦ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ସରକାର ଏଭଳି ସମ୍ବେଦନଶୀଳ ପରିସ୍ଥିତିକୁ କିଭଳି ଭାବେ ବିଚାରକୁ ନେଉଛନ୍ତି, ତାହା ସମୟ ଉପରେ ହିଁ ନିର୍ଭର କରୁଛି।
ଏହି ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବହୁ ସଂଖ୍ୟକ ସାମାଜିକ କର୍ମୀ ତଥା ସମସ୍ତ ଦଳର ନେତୃବୃନ୍ଦ ତୃଣମୂଳ ସ୍ତରରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା ଓ ତର୍ଜମା କରୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ କୋରାପୁଟ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଝିନ୍ନ ହିକକା, ଈଶ୍ୱର ପାଣିଗ୍ରାହୀ, ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ, ପ୍ରୀତମ ପାଡ଼ି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜୁ ଜନତା ଦଳର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଳକା, ରାଧାବିନୋଦ ସାମନ୍ତରାୟ, କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ବରିଷ୍ଠ ଆଇନଜୀବୀ ତଥା ବିଜୁ ଜନତା ଦଳର ନେତା ଅଜିତ ପଟ୍ଟନାୟକ, ପ୍ରଶାନ୍ତ ମହାନ୍ତି, ଜିଲ୍ଲା ପ୍ରତିନିଧି ତଥା କୋଟପାଡ଼ ସାମ୍ବାଦିକ ସଂଘର ଉପସଭାପତି ବସନ୍ତ ପେଗଡ଼ଙ୍କ ସହିତ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ରହି ଆନ୍ଧ୍ର ସରକାର ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଏଭଳି କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ନିଜେ ସକ୍ରିୟତାର ସହିତ ସେଠାରେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ଦେଖିବାକୁ ମିଳିଛି। ଏତଦ୍ବ୍ୟତୀତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ପୁଲିସ ପ୍ରଶାସନର କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
