ରାଇଘର ସଦର ମହକୁମାରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ: ରାସ୍ତା ପାଲଟିଛି ନର୍ଦ୍ଦମା, ପ୍ରଶାସନର ଉଦାସୀନତାକୁ ନେଇ ଜନଅସନ୍ତୋଷ

puja26

ଉମରକୋଟ / ରାଇଘର (୦୬/୧୧/୨୦୨୬): ସଦର ମହକୁମାର ବିକାଶ ଓ ସ୍ୱଚ୍ଛତାକୁ ନେଇ ପ୍ରଶାସନ ଯେତେ ବଡ଼ ବଡ଼ ଦାବି କରୁଥିଲେ ମଧ୍ୟ ବାସ୍ତବ ଚିତ୍ର କିନ୍ତୁ ସେହି ଦାବିର ସମ୍ପୂର୍ଣ୍ଣ ବିପରୀତ। ରାଇଘର ବ୍ଲକ ସଦର ମହକୁମାସ୍ଥିତ ପଠାଣ ସାହିର ୧୧ ନମ୍ବର ୱାର୍ଡରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ମୁଖ୍ୟ ରାସ୍ତାଟି ଏବେ ଅଳିଆ ଆବର୍ଜନା ମିଶା ଦୂଷିତ ପାଣିର ନାଳରେ ପରିଣତ ହୋଇଛି। ଦୁଃଖର ବିଷୟ, ଏଭଳି ଦୁର୍ଦ୍ଦଶା ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକଙ୍କୁ ଭୋଗିବାକୁ ପଡ଼ୁଥିଲେ ହେଁ ସମ୍ପୃକ୍ତ ପ୍ରଶାସନର ଦୃଷ୍ଟି ଏଯାଏଁ କାହିଁକି ପଡ଼ୁନାହିଁ, ତାହା ଏବେ ସାହିବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଘରୁ ବାହାରୁଥିବା ବ୍ୟବହୃତ ଦୂଷିତ ପାଣି ନିଷ୍କାସନ ପାଇଁ କୌଣସି ପକ୍କା ଡ୍ରେନ୍ ବ୍ୟବସ୍ଥା ନଥିବାରୁ ସେହି ଅପରିଷ୍କାର ପାଣି ସିଧାସଳଖ ରାସ୍ତା ଉପରେ ଜମି ରହି ନର୍ଦ୍ଦମାର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ମହିଳା ତଥା ବୟସ୍କ ବ୍ୟକ୍ତିଙ୍କ ସମେତ ଶତାଧିକ ଲୋକ ଯାତାୟାତ କରିଥାନ୍ତି। ଯାନବାହାନ ଚଳାଚଳ ସମୟରେ ରାସ୍ତାରେ ଜମି ରହିଥିବା ଦୂଷିତ ଓ ଦୁର୍ଗନ୍ଧଯୁକ୍ତ ପାଣି ଛିଟିକି ନିରୀହ ଯାତ୍ରୀ ତଥା ପଥଚାରୀଙ୍କ ଉପରେ ପଡ଼ୁଛି। ଏହା କେବଳ ଯାତାୟାତ କ୍ଷେତ୍ରରେ ଚରମ ଅସୁବିଧା ସୃଷ୍ଟି କରୁନାହିଁ, ବରଂ ସ୍ଥାନୀୟ ଜନସ୍ୱାସ୍ଥ୍ୟ ଓ ସାମଗ୍ରିକ ପରିବେଶ ପ୍ରତି ମଧ୍ୟ ଏକ ଗୁରୁତର ବିପଦ ସୃଷ୍ଟି କରିଛି।

ଏଭଳି ପରିସ୍ଥିତିରେ ସାହିବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ପ୍ରଶାସନିକ ଅଧିକାରୀମାନେ କ’ଣ ଏହି ରାସ୍ତାରେ କେବେ ଯାତାୟାତ କରୁନାହାନ୍ତି? ସେମାନଙ୍କ ଆଖିରେ ଲୋକଙ୍କ ଏହି ଦୁର୍ଦ୍ଦଶା କାହିଁକି ପଡ଼ୁନାହିଁ? ଜନସାଧାରଣଙ୍କ ଦେୟ ଟିକସ ଅର୍ଥରେ ଯେତେବେଳେ କୋଟି କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ହେଉଛି, ସେତେବେଳେ ସଦର ମହକୁମାର ଏକ ପ୍ରମୁଖ ୱାର୍ଡରେ ମୌଳିକ ଡ୍ରେନେଜ୍ ସୁବିଧା ନହେବା ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଉଛି ବୋଲି ଏହି ରାସ୍ତାରେ ନିୟମିତ ଯିବାଆସିବା କରୁଥିବା ବାଟୋଇମାନେ ମଧ୍ୟ ଅଭିଯୋଗ କରୁଛନ୍ତି।

କେବଳ ସ୍ୱଚ୍ଛତାର ସ୍ଲୋଗାନ ଦେଇଦେବା ସହଜ, କିନ୍ତୁ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ହିଁ ପ୍ରଶାସନର ପ୍ରକୃତ କର୍ତ୍ତବ୍ୟ ବୋଲି ଲୋକେ କହୁଛନ୍ତି। କେବଳ କାଗଜପତ୍ରରେ ବିକାଶର ହିସାବ ଦେଖାଇଲେ ଚଳିବ ନାହିଁ, ବରଂ ଲୋକଙ୍କ ଦୈନନ୍ଦିନ ସାମାଜିକ ଜୀବନରେ ତାହାର ବାସ୍ତବ ପ୍ରତିଫଳନ ଦେଖାଯିବା ନିତାନ୍ତ ଆବଶ୍ୟକ। ଏକ ସଦର ମହକୁମାରେ ଯଦି ନାଗରିକମାନେ ନିଜ ଘର ସାମ୍ନା ରାସ୍ତାରେ ନିର୍ମଳ ତଥା ନିରାପଦ ଭାବେ ଚାଲିବାର ସର୍ବନିମ୍ନ ସୁବିଧା ଟିକକ ପାଉନାହାନ୍ତି, ତେବେ ବିକାଶର ଏହି ଡିଣ୍ଡିମ କେତେଦୂର ଯଥାର୍ଥ, ତାହା ଗମ୍ଭୀରତାର ସହ ବିଚାର କରିବାର ସମୟ ଏବେ ଉପନୀତ ହୋଇଛି।

ଜନସାଧାରଣଙ୍କ ଏହି ଦୁର୍ଦ୍ଦଶା ଓ ମୌଳିକ ସମସ୍ୟା ପ୍ରତି ପ୍ରଶାସନର ଏଭଳି ନୀରବତା ଓ ଉଦାସୀନ ମନୋଭାବ ଆଉ କେତେଦିନ ଚାଲିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିବା କିମ୍ବା ମହାମାରୀ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ପରେ ହିଁ କ’ଣ ପ୍ରଶାସନର ଚେତା ପଶିବ ବୋଲି ଲୋକେ କ୍ଷୋଭ ପ୍ରକାଶ କରୁଛନ୍ତି।

ତେଣୁ ରାଇଘର ବ୍ଲକ ପ୍ରଶାସନ, ସମ୍ପୃକ୍ତ ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନେ ଆଉ ନୀରବ ଦ୍ରଷ୍ଟା ସାଜି ନରହି ତୁରନ୍ତ ପଠାଣ ସାହିର ୧୧ ନମ୍ବର ୱାର୍ଡ ପରିଦର୍ଶନ କରି ପରିସ୍ଥିତିର ବାସ୍ତବ ଅନୁଧ୍ୟାନ କରନ୍ତୁ ବୋଲି ସାହିବାସୀ ଏକତ୍ରିତ ହୋଇ ଦୃଢ଼ ସ୍ୱର ଉତ୍ତୋଳନ କରିଛନ୍ତି। କୌଣସି କାମଚଳା ବା ଅସ୍ଥାୟୀ ସମାଧାନ ନକରି ଏଠାରେ ଏକ ସ୍ଥାୟୀ ପକ୍କା ଡ୍ରେନେଜ୍ ବ୍ୟବସ୍ଥା ନିର୍ମାଣ କରିବା ସହ ଦୂଷିତ ପାଣିର ସଠିକ୍ ନିଷ୍କାସନ ସୁନିଶ୍ଚିତ କରାଯାଉ। ନଚେତ୍ ସଦର ମହକୁମାର ବିକାଶ ଓ ସ୍ୱଚ୍ଛତା ନେଇ ପ୍ରଶାସନ ପକ୍ଷରୁ କରାଯାଉଥିବା ସମସ୍ତ ଡିଣ୍ଡିମ କେବଳ ପ୍ରଚାର ଓ ବିଜ୍ଞାପନରେ ହିଁ ସୀମିତ ରହିଯିବ। ବର୍ତ୍ତମାନ ସମୟରେ ବିକାଶର କେବଳ ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବାସ୍ତବ କ୍ଷେତ୍ରରେ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହିଁ ଜନସାଧାରଣଙ୍କ ଏକମାତ୍ର ଦାବି।

ad-week
Leave A Reply

Your email address will not be published.