ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିବେ ଗଞ୍ଜାମ ଜିଲ୍ଲାପାଳ: ପୁନରୁଦ୍ଧାର, ସ୍ୱଚ୍ଛ ସହାୟତା ବଣ୍ଟନ ଓ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ

ଛତ୍ରପୁର, ୦୭/୧୧: ବନ୍ୟା ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାରେ ସାମିଲ ହୋଇ ନବରତ୍ନପୁର ଓ ଜାହାଡ଼ା ଆଦି ଗ୍ରାମର ବନ୍ୟା ପ୍ରଭାବିତ ଲୋକଙ୍କ ସହିତ ଚଳିତ ବର୍ଷ ଦୀପାବଳି ପାଳନ କରିବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ଏହି ପରିପ୍ରେକ୍ଷୀରେ ବନ୍ୟା ବିପନ୍ନ ପରିବାରମାନଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ସମ୍ବଳିତ ସ୍ୱତନ୍ତ୍ର ପ୍ୟାକେଟ୍ ପ୍ରସ୍ତୁତ କରାଯାଇଛି। ଏହିସବୁ ରିଲିଫ୍ ସାମଗ୍ରୀକୁ ପ୍ରଭାବିତ ପରିବାରଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ସହ ପ୍ରଶାସନ ପକ୍ଷରୁ ସେମାନଙ୍କ ସହିତ ଦୀପାବଳିର ଆନନ୍ଦ ବଣ୍ଟାଯିବ।
ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଓସୱାନ୍ ମାଧ୍ୟମରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର, କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମସ୍ତ ବିଡିଓମାନଙ୍କୁ ପ୍ରଭାବିତ ଗ୍ରାମଗୁଡ଼ିକରେ ଆସନ୍ତାକାଲିଠାରୁ ସୁବ୍ୟବସ୍ଥିତ ଖାଦ୍ୟ ବ୍ୟବସ୍ଥା ଯୋଗାଇଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ନିକଟରେ ସରକାରୀ ସହାୟତା ପହଞ୍ଚାଇବା ପାଇଁ ଅଧିକାରୀମାନେ ଆନ୍ତରିକତାର ସହ ଦିନରାତି କାର୍ଯ୍ୟ କରିବା ସହ ଘରଦ୍ୱାରକୁ ଯାଇ ସହାୟତା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରଭାବିତ ପରିବାରଗୁଡ଼ିକୁ ୫୦ କିଲୋଗ୍ରାମ ଚାଉଳ ଓ ୨୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ କୌଣସି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ସେ ବିଡିଓମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ସହାୟତା ରାଶି ବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିୟମିତ ତଦାରଖ ଉପରେ ଗୁରୁତ୍ୱାରୋପ କରି ଜିଲ୍ଲାପାଳ ପ୍ରତ୍ୟେକ ବିଡିଓଙ୍କୁ ଦୈନିକ ବ୍ୟାଙ୍କରୁ ସହାୟତା ରାଶିର ରିକନସିଲିଏସନ୍ ଷ୍ଟେଟମେଣ୍ଟ ସଂଗ୍ରହ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ସଫଳତାର ସହ ଯାଇଛି ଏବଂ କାହା ଖାତାକୁ ଯାଇପାରି ନାହିଁ, ତାର ଏକ ସବିଶେଷ ତଥ୍ୟ ସଠିକ୍ ଭାବେ ରଖିବାକୁ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ବନ୍ୟାରେ ଗିଡ଼ିପାବାଲି ଅଞ୍ଚଳର କ୍ଷତିଗ୍ରସ୍ତ ଲୋକଙ୍କ ସ୍ଥିତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଗଭୀର ସମୀକ୍ଷା କରିଥିଲେ। ସେଠାରେ ବାସହରା ହୋଇଥିବା ପ୍ରଭାବିତ ପରିବାରମାନଙ୍କ ସ୍ଥାୟୀ ଥଇଥାନ ପାଇଁ ଏକ ସ୍ୱତନ୍ତ୍ର କଲୋନୀ ନିର୍ମାଣ ନିମନ୍ତେ ଆବଶ୍ୟକ ଜମି ଚିହ୍ନଟ ଓ ନିର୍ମାଣ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପକ୍ଷରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଆଲୋକପାତ କରି ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ, ବିଶୋଧକ ଦ୍ୱାରା ପାନୀୟ ଜଳ ଉତ୍ସର ନିରନ୍ତର ବିଶୋଧନ ଏବଂ ସଂକ୍ରାମକ ରୋଗର ନିରାକରଣ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଝାଡ଼ାବାନ୍ତି ଓ ହଇଜା ଭଳି ମାରାତ୍ମକ ଜଳବାହିତ ରୋଗ ଯେପରି ଆଦୌ ନ ବ୍ୟାପେ, ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା।
ଜଳସେଚନ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବିଶେଷକରି ଭଞ୍ଜନଗର ଜଳସେଚନ ଡିଭିଜନ୍ ଅଧୀନରେ ଥିବା ପ୍ରଭାବିତ ଅଞ୍ଚଳରେ ନଦୀବନ୍ଧ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ପ୍ରତ୍ୟେକ ବ୍ରିଜ୍, କଲଭର୍ଟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚାଲିଥିବା ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆସନ୍ତା ମଙ୍ଗଳବାର ଦିନ ଜିଲ୍ଲାପାଳ ପୁନର୍ବାର ସମୀକ୍ଷା କରିବେ।
ଏହା ବ୍ୟତୀତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସ୍ୱାଭାବିକ ଶିକ୍ଷାଦାନ କାର୍ଯ୍ୟକ୍ରମ ପୁନଃଆରମ୍ଭ କରିବା ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା। ବନ୍ୟା ପ୍ଲାବିତ ଅଞ୍ଚଳର ୬ରୁ ୭ଟି ବିଦ୍ୟାଳୟକୁ ବାଦ୍ ଦେଲେ ଅନ୍ୟାନ୍ୟ ସମସ୍ତ ଶିକ୍ଷାନୁଷ୍ଠାନର ସଫେଇ ଓ ବିଶୋଧନ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ସୁଦ୍ଧା ବିଡିଓମାନଙ୍କ ପ୍ରମାଣପତ୍ର ସହିତ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ଉପଯୋଗୀ ପ୍ରସ୍ତୁତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଲେ ଆସନ୍ତା ସୋମବାରଠାରୁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ତେବେ କୌଣସି ପରିସ୍ଥିତିରେ ବିପଦସଙ୍କୁଳ ତଥା ଅସୁରକ୍ଷିତ ସ୍ଥାନରେ ଥିବା ବିଦ୍ୟାଳୟ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ ନାହିଁ ବୋଲି ସେ ଦୃଢ଼ ଭାବରେ ସ୍ପଷ୍ଟ କରିଥିଲେ।
ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବା ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର, ରିଲିଫ୍ ଓ ଅନ୍ୟାନ୍ୟ ସହାୟତା କାର୍ଯ୍ୟରେ ନିସ୍ୱାର୍ଥପର ଭାବେ ସହଯୋଗର ହାତ ବଢ଼ାଇଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସାମାଜିକ ସଂଗଠନକୁ ଜିଲ୍ଲାପାଳ କୃତଜ୍ଞତା ସହ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ।
ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
