ଓରାମ ସାଂସ୍କୃତିକ ସମାଜରେ ଭକ୍ତି, ପରମ୍ପରା ଓ ସାମୁଦାୟିକ ଏକତାର ପ୍ରତୀକ କର୍ମା ପୂଜା ଉତ୍ସବ ପାଳିତ

ସୁନ୍ଦରଗଡ଼ : ଭାଦ୍ରବ ଏକାଦଶୀ ଅବସରରେ ଓରାମ ସମ୍ପ୍ରଦାୟର ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ଐତିହ୍ୟର ମହାନ ପ୍ରତୀକ କର୍ମା ପୂଜା ସୁନ୍ଦରଗଡ଼ ବାଇପାସ ସ୍ଥିତ ଓରାମ ସାଂସ୍କୃତିକ ସମାଜ, ଓଡ଼ିଶା କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆନନ୍ଦ, ଉତ୍ସାହ ଓ ଭକ୍ତିଭାବର ସହ ପାଳିତ ହୋଇଯାଇଛି। ପ୍ରକୃତି ଉପାସନା, ସାମାଜିକ ଏକତା ଏବଂ ସମୃଦ୍ଧିର ବାର୍ତ୍ତା ବହନ କରୁଥିବା ଏହି ପର୍ବ ଓରାମ ସମାଜର ସାଂସ୍କୃତିକ ଜୀବନର ଏକ ଅବିଚ୍ଛିନ୍ନ ଅଂଶ।

କର୍ମା ପୂଜାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରକୃତି, ପରିବେଶ ଓ ମାନବ ସମାଜ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ଭାଇଚାରା, ସୁଖ, ଶାନ୍ତି, ଉନ୍ନତ ଫସଲ ଏବଂ ସାମୂହିକ କଲ୍ୟାଣ କାମନା କରିବା। କରମା ବୃକ୍ଷକୁ ପୂଜା କରି ଓରାମ ସମାଜ ପ୍ରକୃତି ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥାଏ ଏବଂ ଆଗାମୀ ଦିନର ସମୃଦ୍ଧି ପାଇଁ ପ୍ରାର୍ଥନା କରେ।

କାର୍ଯ୍ୟକ୍ରମରେ ଓରାମ ସାଂସ୍କୃତିକ ସମାଜର ସଭାପତି ସୁଶ୍ରୀ ସୁକେଶୀ ଓରାମ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଓରାମ ସାଂସ୍କୃତିକ ସମାଜର ନବନିର୍ମିତ ଭବନର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ନୂତନ ଭବନ ସମାଜର ସାଂସ୍କୃତିକ, ସାମାଜିକ ଓ ସଂଗଠନାତ୍ମକ କାର୍ଯ୍ୟକଳାପ ପାଇଁ ଏକ ନୂତନ ଅଧ୍ୟାୟର ସୂଚନା ଦେଇଛି।

ପ୍ରକୃତି ପୂଜକ ଓରାମ ସମାଜ ପୃଥିବୀ, ଜଳ, ବାୟୁ ଓ ବୃକ୍ଷଲତାକୁ ଜୀବନର ମୂଳ ଆଧାର ଭାବେ ମାନି ସେମାନଙ୍କର ଆରାଧନା କରିଆସୁଛନ୍ତି। ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ ଲୋକାଚାର ମାଧ୍ୟମରେ ସେମାନେ ନିଜର ପ୍ରାର୍ଥନା ଅର୍ପଣ କରି ପ୍ରକୃତିର ଆଶୀର୍ବାଦ କାମନା କରନ୍ତି। ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ଉପସ୍ଥିତ ଭକ୍ତବୃନ୍ଦଙ୍କ ମଧ୍ୟରେ ଭକ୍ତି, ଉତ୍ସାହ ଓ ଶ୍ରଦ୍ଧାର କୌଣସି ଅଭାବ ପରିଲକ୍ଷିତ ହୋଇନଥିଲା।

ଏହି ଅବସରରେ ଆୟୋଜିତ ସଭାରେ ଓରାମ ସାଂସ୍କୃତିକ ସମାଜର ସଭାପତି ସୁଶ୍ରୀ ସୁକେଶୀ ଓରାମ, ସୁନ୍ଦରଗଡ଼ ଟାଉନ କମିଟିର ସଭାପତି ବାଲକୁବାର୍ଲା, ଓରାମ ସାଂସ୍କୃତିକ ସମାଜର ରାଜ୍ୟ ସାଧାରଣ ସମ୍ପାଦକ ପ୍ରେମସାଗର ଓରାମ, ଓରାମ ସାଂସ୍କୃତିକ ସମାଜ, ସୁନ୍ଦରଗଡ଼ର ସାଧାରଣ ସମ୍ପାଦକ ସୁଜୀତ ଗୋସାଇଁ ମିଞ୍ଜ, ସକ୍ଷମ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ଉମେଶ ବାବୁ ଏବଂ ସଦସ୍ୟ ତଥା ସମାଜସେବୀ ବିଶ୍ୱରଞ୍ଜନ ହୋତା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।

ଅତିଥିମାନେ ଓରାମ ସମ୍ପ୍ରଦାୟର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ସାମାଜିକ ମୂଲ୍ୟବୋଧ ଉପରେ ଆଲୋକପାତ କରିବା ସହିତ କର୍ମା ପୂଜାର ଐତିହାସିକ, ଆଧ୍ୟାତ୍ମିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ମତବ୍ୟକ୍ତ କରିଥିଲେ। ସେମାନେ କହିଥିଲେ ଯେ, ଏଭଳି ପର୍ବପର୍ବାଣୀ କେବଳ ଧାର୍ମିକ ଆଚାର ନୁହେଁ, ବରଂ ସମାଜର ଏକତା, ସମ୍ପ୍ରୀତି ଓ ସାଂସ୍କୃତିକ ଅସ୍ମିତାକୁ ସୁଦୃଢ଼ କରିବାର ମାଧ୍ୟମ।

ପାରମ୍ପରିକ ନୃତ୍ୟ, ଗୀତ ଓ ସାଂସ୍କୃତିକ ପରିବେଷଣରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ବହୁ ଆଡ଼ମ୍ବର ଓ ଉଲ୍ଲାସର ପରିବେଶ ମଧ୍ୟରେ କର୍ମା ପୂଜା ସଫଳତାର ସହ ସମାପନ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସୁବୋଧ ଟପ୍ପୋ, ରାମେଶ୍ୱର ଟପ୍ପୋ, କଳାକୃଷ୍ଣ ଓରାମ, ଶୁକ୍ରା କୁଜୁର, କାଳୀପଦ ଓରାମ, ଦୀପକ ଟପ୍ପୋ ଓ କାର୍ତ୍ତିକ ବେକ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରେମସାଗର ଓରାମ ମଞ୍ଚ ପରିଚାଳନା କରିଥିବା ବେଳେ ସୁଜୀତ ଗୋସାଇଁ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.