ପ୍ରଖର ଖରା ଯୋଗୁଁ ମହାପ୍ରଭୁଙ୍କ ତିନି ରଥର ବିଭିନ୍ନ ଅଂଶରେ ଫାଟ

add-all

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଥିବା ବେଳେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଖର ଖରା ଯୋଗୁଁ ମହାପ୍ରଭୁଙ୍କ ତିନି ରଥର କେତେକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ସାମାନ୍ୟ ଫାଟ ଦେଖାଦେଇଛି। ବିଶେଷ କରି ତିନି ରଥର କଣଗୁଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚାରିନାହାକରେ ଏହି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ରଥ ନିର୍ମାଣ ସମୟରେ କାଠଗୁଡ଼ିକ ଅତ୍ୟଧିକ ଖରା ସଂସ୍ପର୍ଶରେ ଆସି ଶୁଖିଯିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ରଥ ସେବକମାନେ ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ଭକ୍ତମାନେ ଆଦୌ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ରଥଖଳାରେ ନିୟୋଜିତ ଥିବା ପାରମ୍ପରିକ ରୂପକାର ଏବଂ ଚିତ୍ରକର ସେବକମାନେ ତୁରନ୍ତ ଏହାର ମରାମତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ପାରମ୍ପରିକ ପଦ୍ଧତିରେ କାଠ ଗୁଣ୍ଡ ସହ ସ୍ୱତନ୍ତ୍ର ଅଠା ଏବଂ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଏହି ଫାଟଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉଛି। ଏହା ପରେ ସେଗୁଡ଼ିକୁ ପୁନର୍ବାର ମଜବୁତ ଭାବେ ସେଟିଂ କରାଯିବ।

ଅନ୍ୟପଟେ ରଥଖଳାରେ ବାକି ସମସ୍ତ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲୁ ରହିଛି। ବିଶ୍ୱକର୍ମା ମହାରଣା ସେବକମାନଙ୍କ ସୂଚନା ଅନୁଯାୟୀ ରଥରେ ଘୋଡ଼ା ଲଗାଯିବା ପାଇଁ ଆବଶ୍ୟକ ହେଉଥିବା ଇସ ଜଗୁଆଳି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ଦୁଇଟି ଲେଖାଏଁ ଘୋଡ଼ା ଇସର ଚଉପଟ କାର୍ଯ୍ୟ ସରିବା ପରେ ଆଠକୋଣି ଅଂଶ ମରା ସହ ବିନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପ୍ରଶାସନ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ମିଳିତ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହେବ ବୋଲି ଆଶା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.