
କତାର : କତାରର ରାସ ଲାଫାନର ଏକ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ । ଇରାନ ଆକ୍ରମଣରେ ନଷ୍ଟ ହୋଇଥିବା ବର୍ଜାନ୍ ପ୍ରାକୃତିକ ଗ୍ୟାସ ରପ୍ତାନୀ ପ୍ଲାଣ୍ଟରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ରବିବାର ରାତିରେ ପୁଣି ବିସ୍ଫୋରଣ ହୋଇଥିଲା । ଘଟଣାରେ ୫୪ ଜଣ ଗୁରୁତର ରହିଥିବା ବେଳେ ୧୮ ଜଣ ନିଖୋଜ ରହିଛନ୍ତି । ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଆଖପାଖର ଲୋକେ ମଧ୍ୟ ଭୂମିକମ୍ପ ଭଳି ଝଟକା ଅନୁଭୂତ କରିଥିଲେ । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ଲଗାତାର କାମ କରୁଛି ।
ଖବର ମୁତାବକ, ବର୍ଜାନ୍ ପ୍ରାକୃତିକ ଗ୍ୟାସ ରପ୍ତାନୀ ପ୍ଲାଣ୍ଟରେ ଇରାନ ପୂର୍ବରୁ ବୋମା ମାଡ଼ କରିଥିଲା । ଇରାନ ବୋମା ଏବଂ ମିସାଇଲ ମାଡ଼ରେ ଗ୍ୟାସ୍ ପ୍ଲାଣ୍ଟଟି ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିଲା । କିଛି ଦିନ ତଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା । ହେଲେ ରବିବାର ରାତିରେ ଏଥିରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ନିଆଁ ମଧ୍ୟ ଲାଗି ଯାଇଥିଲା । ନିଆଁ ଲାଗିବା ଯୋଗୁ ୫୪ ଜଣ ଗୁରୁତର ରହିଥିବା ବେଳେ ୧୮ ଜଣ ନିଖୋଜ ରହିଛନ୍ତି ।
ସରକାରୀ ସଂସ୍ଥା କତାର ଏନର୍ଜୀର କହିବାନୁସାରେ, କେଉଁ କାରଣରୁ ବିସ୍ଫୋରଣ ଘଟିଛି ତାହା ଜଣା ପଡିନାହିଁ । ଏଥିରେ କିଛି ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବର୍ଜାନ ପ୍ଲାଣ୍ଟରେ ଦୈନିକ ୧.୪ବିଲିୟନ କ୍ୟୁବିକ୍ ଫୁଟର ଗ୍ୟାସ ଧାରଣ କ୍ଷମତା ରହିଛି । ଏହାକୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବହାର କରାଯାଏ ।
