ବିନା ସୂଚନା ଫଳକରେ ଚାଲିଛି ଡ୍ରେନ ଓ ରାସ୍ତା କାମ : ପ୍ରଶାସନ ଜାଣିଶୁଣି ଚୁପ୍‌, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

add-all

ଉମରକୋଟ : ସରକାରଙ୍କ ପକ୍ଷରୁ ଯେକୌଣସି ଜନକଲ୍ୟାଣମୂଳକ ଯୋଜନା କିମ୍ବା ବିକାଶମୂଳକ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେହି କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି ହୋଇଥିଲେ ମଧ୍ୟ, କେତେକ ସ୍ଥାନରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ହୋଇ ସୂଚନା ଫଳକ ନଲଗାଇ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଏବଂ ସରକାରୀ ଅର୍ଥର ଅପବ୍ୟୟ କରାଯାଉଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
ଏପରି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସି ଗ୍ରାମ ପଞ୍ଚାୟତରୁ ସାମ୍ନାକୁ ଆସିଛି। ପଞ୍ଚାୟତର ୬ ନମ୍ବର ୱାର୍ଡ ଅଧୀନ ରାବଣାଗୁଡା ଗ୍ରାମରେ ଏକ ସିସି ରୋଡ଼ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜାମଡଡି ଗ୍ରାମରେ ଏକ ଡ୍ରେନ ନିର୍ମାଣ କାର୍ଯ୍ୟ ହେଉଛି। କିନ୍ତୁ ଉଭୟ ସ୍ଥାନରେ କୌଣସି ସୂଚନା ଫଳକ ନଥିବାରୁ ସ୍ଥାନୀୟ ଲୋକେ କାମ ସମ୍ପର୍କରେ ଅନ୍ଧକାରରେ ରହିଛନ୍ତି।


ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କେଉଁ ବିଭାଗ ଏହି କାର୍ଯ୍ୟ କରୁଛି, ରାସ୍ତା ଓ ଡ୍ରେନ ନିର୍ମାଣର ଅଟକଳ ମୂଲ୍ୟ କେତେ, କାର୍ଯ୍ୟର ଲମ୍ବ ଓ ପ୍ରସ୍ଥ କେତେ ରହିଛି, କେତେ ଶ୍ରମିକ ନିଯୁକ୍ତ ହୋଇଛନ୍ତି ଓ ସେମାନଙ୍କ ମଜୁରୀ କେତେ — ଏଭଳି କୌଣସି ତଥ୍ୟ ସାଧାରଣ ଲୋକଙ୍କୁ ଜଣାଯାଉ ନାହିଁ। ଯେଉଁଥିରୁ କାର୍ଯ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସୂଚନା ଫଳକ ଲଗାଇଲେ ସାଧାରଣ ଲୋକେ କାମର ସମସ୍ତ ବିବରଣୀ ଜାଣିପାରିବେ। ଏଥିସହିତ କାର୍ଯ୍ୟରେ କୌଣସି ଅନିୟମିତତା କିମ୍ବା ନିମ୍ନମାନର କାମ ହେଉଥିଲେ ତାହା ସାମ୍ନାକୁ ଆସିଯିବ। ଏହି କାରଣରୁ ଜାଣିଶୁଣି ସୂଚନା ଫଳକ ଲଗାଯାଉନଥିବା ଏବଂ ତରବରିଆ ଭାବେ କାମ ଶେଷ କରିବାକୁ ଉଦ୍ୟମ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ରାବଣାଗୁଡା ଓ ଜାମଡଡି ଗ୍ରାମରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗ୍ରାମବାସୀମାନେ ଏହି କାର୍ଯ୍ୟର ତଦନ୍ତ କରାଯିବା ସହ କାମର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗକୁ ଦାବି କରିଛନ୍ତି। ସରକାରୀ ଅର୍ଥରେ ହେଉଥିବା କାମରେ ସ୍ୱଚ୍ଛତା ଓ ଜବାବଦେହିତା ରହିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଏହି ଅଭିଯୋଗକୁ କେତେ ଗୁରୁତ୍ୱ ଦେଉଛି ଏବଂ ଘଟଣାର ନିରପେକ୍ଷ ତଦନ୍ତ କରାଯାଉଛି କି ନାହିଁ।

ad-week
Leave A Reply

Your email address will not be published.