ବେଆଇନ ଭାବେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଅଭିଯୋଗ, ବିଡିଓ ଓ ତହସିଲଦାରଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

add-all

ମାଲକାନଗିରି, ୨୪ ଜୁନ : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ଏମ୍‌.ଭି.-୧୧ ଗ୍ରାମରେ ଅନିୟମିତ ଭାବେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀମାନେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଏବଂ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପୂର୍ବରୁ ଗ୍ରାମବାସୀ, ସରପଞ୍ଚ କିମ୍ବା ୱାର୍ଡ ସଭ୍ୟମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। ଜଣେ ଠିକାଦାର ମନମୁଖୀ ଭାବରେ ଏକତରଫା ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏ ସମ୍ପର୍କରେ ପଚାରିବାରୁ ଗ୍ରାମବାସୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା।

ଅଭିଯୋଗ ଅନୁଯାୟୀ, ଗ୍ରାମ ପୋଖରୀ ହୁଡ଼ାକୁ ଲାଗିଥିବା ଜଳାଶୟ କିସମ ଜମିରେ ଏହି ଗୋଷ୍ଠୀ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଗ୍ରାମବାସୀମାନେ କନିଷ୍ଠ ଯନ୍ତ୍ରୀ ଓ ରାଜସ୍ୱ ନିରୀକ୍ଷକଙ୍କ ସହ ଆଲୋଚନା କରିବା ପରେ ଜାଣିବାକୁ ପାଇଥିଲେ ଯେ, ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କୌଣସି ସୂଚନା ନ ଦେଇ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି।

ଏହାକୁ ନେଇ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ପାଣ୍ଡ୍ରି ପଡ଼ିଆମୀ, ୱାର୍ଡ ସଭ୍ୟା ସସ୍ମିତା ବାରୋଇ ଓ ଅନ୍ୟାନ୍ୟ ଗ୍ରାମବାସୀ ମିଳିତ ଭାବେ ବିଡିଓ ଓ ତହସିଲଦାରଙ୍କ ନିକଟରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି।

ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ପାଇଁ ବିଭାଗୀୟ ସ୍ତରରେ ଜମି ଚିହ୍ନଟ କରାଯାଇ ନଥିଲା କିମ୍ବା କୌଣସି ଅନୁମୋଦନ ଦିଆଯାଇ ନଥିଲା। ବିଭାଗକୁ ଅବଗତ ନ କରି କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ବର୍ତ୍ତମାନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନ ପକ୍ଷରୁ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.