ୟୁରୋପରେ ଇବୋଲା ଆତଙ୍କ, ଗଲାଣି ୨୬୦ରୁ ଅଧିକ ଜୀବନ

add-all

ନୂଆଦିଲ୍ଲୀ: ୟୁରୋପରେ ପଶିଲା ଘାତକ ଇବୋଲା । ମାନବିକ ସେବା କରିବାକୁ ଯାଇ ଭୂତାଣୁ ନେଇ ଫେରିଲେ ଡାକ୍ତର । କଙ୍ଗୋରେ ତାଣ୍ଡବ ରଚୁଛି ଇବୋଲର ନୂଆ ଷ୍ଟ୍ରେନ୍ । ବର୍ତ୍ତମାନ ସୁଦ୍ଧା ୨୬୦ରୁ ଅଧିକ ଜୀବନ ଗଲାଣି । ବିଶ୍ୱକୁ ପୁଣି ଡରାଇଲାଣି ମାରାତ୍ମକ ‘ଇବୋଲା’ ଭୂତାଣୁ । ଆଫ୍ରିକୀୟ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ବ୍ୟାପୁଥିବା ଏହି ସଂକ୍ରମଣ ଏବେ ୟୁରୋପରେ ପହଞ୍ଚିଛି । ଫ୍ରାନ୍ସରେ ପ୍ରଥମ ଏବୋଲା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ରୋଗୀଜଣକ ଜଣେ ଡାକ୍ତର । ସେ ନିକଟରେ କଙ୍ଗୋରେ ଏକ ମାନବିକ ସେବା ମିଶନ ସାରି ଫ୍ରାନ୍ସ ଫେରିଥିଲେ।

ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଯାଇଛି । ସମ୍ପୃକ୍ତ ଡାକ୍ତରଙ୍କଠାରେ ଇବୋଲା ପଜିଟିଭ୍ ଜଣାପଡ଼ିବା ମାତ୍ରେ ତାଙ୍କୁ ତୁରନ୍ତ ସ୍ୱତନ୍ତ୍ର ହାଇ-କଣ୍ଟେନମେଣ୍ଟ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି । ସଂକ୍ରମଣ ଯେପରି ଅନ୍ୟମାନଙ୍କୁ ନ ବ୍ୟାପିବ, ସେଥିପାଇଁ ଫ୍ରାନ୍ସ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯାଇଛି । ତେବେ ଏହା ସ୍ଥାନୀୟ ସଂକ୍ରମଣ ନୁହେଁ ଏବଂ ଏହାଦ୍ୱାରା ସାଧାରଣ ଜନତାଙ୍କ ପ୍ରତି ବିପଦ ବହୁତ କମ୍ ବୋଲି ପ୍ରଶାସନ ଆଶ୍ୱାସନା ଦେଇଛି ।

ମେ ମାସରେ କଙ୍ଗୋରେ ଅଫିସିଆଲି ଇବୋଲା ଆଉଟ୍ ବ୍ରେକ୍ ଘୋଷଣା କରାଯାଇଥିଲା। ଏହା କଙ୍ଗୋର ୧୭ତମ ଇବୋଲା ସଂକ୍ରମଣ। ଚଳିତ ବର୍ଷ ବ୍ୟାପୁଥିବା ଏହି ଭୂତାଣୁ ‘ବୁଣ୍ଡିବୁଗ୍ୟୋ ଭାଇରସ୍ ଷ୍ଟ୍ରେନ୍’ । ପୂର୍ବରୁ ଆସିଥିବା ଜାୟାର୍ ଇବୋଲା ଷ୍ଟ୍ରେନ୍ ଭଳି ଏହି ନୂଆ ଷ୍ଟ୍ରେନ୍ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଭ୍ୟାକ୍ସିନ୍ ବା ସ୍ୱତନ୍ତ୍ର ଚିକିତ୍ସା ଉପଲବ୍ଧ ନାହିଁ।

ଜୁନ୍ ମଧ୍ୟଭାଗ ସୁଦ୍ଧା କଙ୍ଗୋରେ ସଂକ୍ରମିତଙ୍କ ସଂଖ୍ୟା ୧,୦୦୦ ରୁ ୧,୦୬୮ ଟପିଛି। ମୃତ୍ୟୁ ସଂଖ୍ୟା ପ୍ରାୟ ୨୬୦ ରୁ ୨୬୯ ରେ ପହଞ୍ଚିଛି (ମୃତ୍ୟୁ ହାର ପ୍ରାୟ ୨୫%)। ଚାଲିଥିବା ଗୃହଯୁଦ୍ଧ ଓ ଗମନାଗମନର ସମସ୍ୟା ଯୋଗୁଁ ଆଫ୍ରିକାରେ ଏହି ରୋଗକୁ ନିୟନ୍ତ୍ରଣ କରିବା କଷ୍ଟକର ହେଉଛି। ଫ୍ରାନ୍ସ ସମେତ ଅନ୍ୟାନ୍ୟ ଦେଶ ଏବେ କଙ୍ଗୋରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଯଦି କୌଣସି ଯାତ୍ରୀଙ୍କଠାରେ ଜ୍ୱର, ପ୍ରବଳ କ୍ଲାନ୍ତି, ମାଂସପେଶୀରେ ବିନ୍ଧା, ବାନ୍ତି କିମ୍ବା ଶରୀରରୁ ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି।

ad-week
Leave A Reply

Your email address will not be published.