
ନୟାଗଡ:ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାଶ ନ୍ୟାୟ ଦେବା ବଦଳରେ ଭଡ଼ା ଘରକୁ ଡ଼ାକି ଦୁଷ୍କର୍ମ କରିବା ଏବଂ ଦୁଇଟି ମିଥ୍ୟା ମାମଲା କରି ଜେଲ ପଠାଇବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅପିଲ କରାଯାଇଛି ।ଅଭିଯୁକ୍ତ ପୋଲିସ ଅଧିକାରୀ ସୁଜିତ କୁମାର ଦାଶଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହିତ ପୀଡ଼ିତାଙ୍କୁ ୫୦ ଲକ୍ଷ କ୍ଷତି ପୂରଣ ପାଇଁ ଦାବି କରାଯାଇଛି ।ଲଢେଇ ପରିବାର ସଂଗଠନ ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନେଇ ଅପିଲ କରିବା ପରେ ୧୪୫୭୨/୨୦୨୬ ରେ ମାମଲା ରୁଜ୍ଜୁ କରାଯାଇ ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ଶିଶୁ ଓ ମହିଳା ଅପରାଧ ଶାଖା ତରଫରୁ ତଦନ୍ତ କରାଯାଉଅଛି।ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ୪ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରିବା ସହିତ ପୀଡ଼ିତାଙ୍କ ଡାକ୍ତରୀ ମାଇନା ଏବଂ ଓଡ଼ଗାଁ କୋର୍ଟରେ ବୟାନ ରେକର୍ଡ କରାଯାଇଛି । ପୀଡ଼ିତାଙ୍କୁ ଥାନା ଅଧିକାରୀ ସୁଜିତ ଶରଣକୁଳ ଥାନା ବାଉଁଶିଆ ଭଡ଼ାଘରେ ଗତ ଡ଼ିସେମ୍ବର ମାସରେ ଦୁଷ୍କର୍ମ କରିଥିବା ସୂଚନା ମିଳିବା ପରେ ଉକ୍ତ ଭଡ଼ାଘରକୁ ସିଲ କରାଯାଇଛି ।ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ଇନ୍ସପେକ୍ଟର ସୁଜିତ ଦାଶଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମାତ୍ର ସେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇ ଫେରାର ଅଛନ୍ତି ।ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସଂପୃକ୍ତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଥିବା ବେଳେ ସେ ଉଚ୍ଚ ନ୍ୟାୟାଳୟରେ ଜାମିନ ପାଇଁ ଆବେଦନ କରିଛନ୍ତି ବୋଲି ସୂଚନା ମିଳିଛି।
