
• କର୍ମଚାରୀଙ୍କ ମିଳିତ ପ୍ରୟାସରେ ୨୫୦କି.ଗ୍ରାରୁ ଅଧିକ ଆବର୍ଜନା ସଂଗ୍ରହ
ବ୍ରହ୍ମପୁର, ଜୁନ୍ : ପରିବେଶ ସଂରକ୍ଷଣ ଏବଂ ସମାଜ କଲ୍ୟାଣ ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଗଞ୍ଜାମ ଜିଲ୍ଲାସ୍ଥିତ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ କରିଛି । ଯାହା କମ୍ପାନୀ ତରଫରୁ ଚାଲୁ ରହିଥିବା ଟାଟା ସଷ୍ଟେନେବିଲିଟି ମାସ ଅଭିଯାନ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ । ବନ ବିଭାଗ ସହାୟତାରେ କମ୍ପାନୀ ଏହି ସଫେଇ କାର୍ଯ୍ୟକ୍ରମ କରିଛି ।
ପରିବେଶ ସଂରକ୍ଷଣ ପ୍ରତି ନିଜର ଦାୟିତ୍ଵବୋଧକୁ ଦର୍ଶାଇ କମ୍ପାନୀର ବିଭିନ୍ନ ବିଭାଗର ୧୩୦ରୁ ଊର୍ଦ୍ଧ୍ବ କର୍ମଚାରୀ ଏହି ସଫେଇ ଅଭିଯାନରେ ଯୋଗ ଦେଇଥିଲେ । ଯାହା ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଥିବା କମ୍ପାନୀର ସାମୂହିକ ଦାୟିତ୍ଵକୁ ଦର୍ଶାଉଛି। ଏହି ଅଭିଯାନରେ ସାମିଲ ହୋଇ ଟିପିଏସ୍ଓଡିଏଲର କର୍ମଚାରୀମାନେ ମିଳିତ ଭାବେ ୨୫୦କି.ଗ୍ରାରୁ ଅଧିକ ଆବର୍ଜନା ସଂଗ୍ରହ କରିଛନ୍ତି । ସମଗ୍ର ସୋନାପୁର ବେଳାଭୂମି ଅଞ୍ଚଳରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ସୋନାପୁର ବେଳାଭୂମିର ସୁନ୍ଦରତାକୁ ବଜାଏ ରଖିବା ଦିଗରେ କମ୍ପାନୀର ଏହି ଉଦ୍ୟମ ବିଶେଷ ଭାବରେ ସହାୟକ ହୋଇଛି ।
ଏହି କାର୍ଯ୍ୟକ୍ରମ ସମୟରେ କର୍ମଚାରୀମାନେ ସୋନାପୁର ବେଳାଭୂମି ପରିଦର୍ଶନରେ ଆସୁଥିବା ସ୍ଥାନୀୟ ସମୁଦାୟଙ୍କୁ ସଚେତନ କରାଇଥିଲେ । ସଚେତନତା ମୂଳକ କାର୍ଯ୍ୟକ୍ରମରେ ବର୍ଜ୍ୟବସ୍ତୁର ସୁପରିଚାଳନା, ପ୍ଲାଷ୍ଟିକର ବ୍ୟବହାର ହ୍ରାସ ଏବଂ ସାମୁଦ୍ରିକ ଜୀବ ଓ ଉପକୂଳ ପରିବେଶର ସୁରକ୍ଷା ଓ ସଂରକ୍ଷଣ ବାବଦରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା ।
ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ ପରିବେଶ ସୁରକ୍ଷା କେବଳ ଏକ ଯୋଜନା ବା ପ୍ରକଳ୍ପ ନୁହେଁ, ଏହା ବ୍ୟକ୍ତିଗତ ଦାୟିତ୍ୱ, ଯାହା ସାମୂହିକ ଉଦ୍ୟମରେ ହାସଲ କରାଯାଇପାରିବ । ବେଳାଭୂମି ଓ ଉପକୂଳବର୍ତ୍ତୀ ପରିବେଶ, ଜାତୀୟ ସମ୍ପଦ ଅଟେ । ତେଣୁ ପରବର୍ତ୍ତୀ ପିଢି ପାଇଁ ଏହାର ସଂରକ୍ଷଣ ଏକାନ୍ତ ଆବଶ୍ୟକ । ପରିବେଶ ସଫେଇ ଭଳି ପଦକ୍ଷେପ ମାଧ୍ୟମରେ ଆମେ କମ୍ପାନୀର କର୍ମଚାରୀ ତଥା ସମାଜର ସବୁ ବର୍ଗର ଲୋକଙ୍କୁ ପରିବେଶ ସଂରକ୍ଷଣ ଓ ସବୁଜ ପୃଥିବୀ ଗଠନ ପ୍ରତି ସଚେତନ କରୁଛୁ । ”
କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସୋନାପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ସାମିଲ ହୋଇଛନ୍ତି।
ଏହି ସଫେଇ ଅଭିଯାନ ଟିପିଏସ୍ଓଡିଏଲର ସ୍ଥାୟୀ ବିକାଶ ଏବଂ ସାମୁଦାୟିକ ସହଭାଗିତା ପ୍ରତି ଥିବା ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ପରିବେଶ ସଂରକ୍ଷଣର ଭାବନା ବଢ଼ାଇବା ସହ ଦକ୍ଷିଣ ଓଡ଼ିଶାକୁ ଆହୁରି ସବୁଜ , ସୁନ୍ଦର ଓ ସୁରକ୍ଷିତ କରିବାର ଲକ୍ଷ୍ୟ ରଖିଛି।
