ଷ୍ଟ୍ରିଟଲାଇଟ୍ ଲଗାଇବାରେ ସାଙ୍ଘାତିକ ଦୁର୍ନୀତି : ଭିଜିଲାନ୍ସର ୮ ଟିମର ଜିଲ୍ଲାବ୍ୟାପୀ ତନାଘନା

add-all

ନୟାଗଡ : ତତ୍କାଳୀନ ବିଜେଡି ସରକାର ସମୟରେ ପଞ୍ଚାୟତ ଗୁଡିକରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ଗୁଡ଼ିକର ରକ୍ଷଣବେକ୍ଷଣ ଓ ମରାମତିରେ ସାଙ୍ଘାତିକ ଦୁର୍ନୀତି ନେଇ ସର୍ବଦା ଅଭିଯୋଗ ହେଉଥିଲା ।ଜିଲ୍ଲା ଭିଜିଲାନ୍ସର ୮ ଟି ଟିମ୍ ଜିଲ୍ଲାର ୨୦ରୁ ଉର୍ଦ୍ଧ୍ବ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ଟିମ୍ ପହଞ୍ଚି ଷ୍ଟ୍ରିଟ ଲାଇଟ୍ ସମ୍ପର୍କିତ ଫାଇଲକୁ ନିଜ ହେପାଜତକୁ ନେଇଛି।ଷ୍ଟ୍ରିଟ ଲାଇଟ୍ ଲଗାଇବାକୁ ଯେଉଁ ନିୟମ ପାଳନ କରିବା କଥା ତାହା ପୂରଣ ହୋଇନାହିଁ ବୋଲି ଭିଜିଲାନ୍ସ ଟିମ୍ ତଦନ୍ତରୁ ଜାଣିବାକୁ ପାଇଛି ।ଭିଜିଲାନ୍ସ ଟିମର ସୂଚନା ଅନୁଯାୟୀ ଗତ ସରକାର ସମୟରେ ପଞ୍ଚମ ରାଜ୍ୟ ବିତ୍ତ ଆୟୋଗ ଯୋଜନାରେ ଗାଁ ଗୁଡ଼ିକରେ ଷ୍ଟ୍ରିଟ ଲାଇଟ୍ ଲଗାଯାଇଥିଲା ।

୨୦୨୧/୨୨ ଓ ୨୦୨୨/୨୩ ରେ ପ୍ରତି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ଲାଇଟ୍ ଲଗାଯାଇଥିଲା। ମାତ୍ର ଏଥିରେ ବ୍ୟାପକ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି।ଷ୍ଟ୍ରିଟ ଲାଇଟ୍ ଲଗାଇବାକୁ ବାହାର ରାଜ୍ୟର ଏକ ଠିକା ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି ମାତ୍ର ଏହି ସଂସ୍ଥା ଟେଣ୍ଡରରେ ରହିଥିବା ଚୁକ୍ତିକୁ ଆଦୌ ମାନୁନାହିଁ ।ଲାଇଟ୍ ଗୁଡ଼ିକ ଅଚଳ ହୋଇଗଲେ, ଏହାର ମରାମତି କରିବା ପାଇଁ ନିୟମ ରହିଛି । ମାତ୍ର ଠିକା ସଂସ୍ଥା ଏହି ନିୟମକୁ କାର୍ଯ୍ୟକାରୀ କରିନଥିବା ଜଣା ପଡ଼ିଛି।ପ୍ରତି କ୍ଲଷ୍ଟର ଗୁଡିକରେ ୧୦ ଷ୍ଟ୍ରିଟ ଲାଇଟ୍ ପାଇଁ ବିଜୁଳି ମିଟର, ୫ଶହ ମିଟର କେବୁଲ, ଏମସିସିବି, ଆଇ ହୁକ୍, ସସପେନସନ୍ କ୍ୟାମ୍ପ,ଫଟୋ ସୁଇଚି ଟାଇମର ଲଗାଇବା କଥା ।ମାତ୍ର ଉକ୍ତ ସଂସ୍ଥା ଏହି ସରଞ୍ଜାମ ଗୁଡିକୁ ନାଲଗାଇ ଲକ୍ଷ ଲକ୍ଷ ଟଙ୍କାର ବିଲ୍ କରି ନେଇଛି ।କେତେକ ସ୍ଥାନରେ ଷ୍ଟ୍ରିଟ ଲାଇଟ୍ ଖରାପ ହେଲେ ଏହି ଠିକା ସଂସ୍ଥାକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉ ନଥିଲା ।ଷ୍ଟ୍ରିଟ ଲାଇଟ୍ ସମ୍ବନ୍ଧୀୟ ଫାଇଲ ମିଳିବା ଏହି ସମୟରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ଅଡ଼ୁଆ ବଢିବା ସହିତ ବିଲ୍ କରାଯିବା ସମୟରେ ଟେଣ୍ଡରରେ ହୋଇଥିବା ଚୁକ୍ତିକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇ ଯେଉଁ ମାନେ ଏହି ଦୁର୍ନୀତିରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହେଉଛି।

ad-week
Leave A Reply

Your email address will not be published.