ରାଜଗାଙ୍ଗପୁରରେ ଶାନ୍ତିଶୃଙ୍ଖଳାର ସହ ମହରମ୍ ଶୋଭାଯାତ୍ରା ସମ୍ପନ୍ନ: ସୁରକ୍ଷା ବଳୟରେ ୯ଟି ଆଖଡ଼ା, ଡ୍ରୋନ୍ ଓ ସିସିଟିଭିରେ ନଜର

add-all

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ପବିତ୍ର ମହରମ୍ ପର୍ବ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ଓ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। କର୍ବଲାର ଅମର ଶହୀଦଙ୍କ ସ୍ମୃତିଚାରଣ ପୂର୍ବକ ସହରରେ ଆୟୋଜିତ ଏହି ପାରମ୍ପରିକ ଶୋଭାଯାତ୍ରାରେ ମୋଟ ନଅଟି ଆଖଡ଼ା ସାମିଲ ହୋଇଥିଲେ। ଗତ ଶୁକ୍ରବାର ଅପରାହ୍ନ ୪ଟାରେ ସମସ୍ତ ଆଖଡ଼ା ନିଜ ନିଜ ଅଞ୍ଚଳରୁ ବାହାରି ପ୍ରଥମେ ସ୍ଥାନୀୟ ସୁଭାଷ ଛକଠାରେ ଏକାଠି ହୋଇଥିଲେ। ସେଠାରେ ଯୁବକମାନେ ପାରମ୍ପରିକ ଲାଠି ଚାଳନା ଓ ବିଭିନ୍ନ ରୋମାଞ୍ଚକର ଯୁଦ୍ଧକଳା ପ୍ରଦର୍ଶନ କରିଥିଲେ। ଏହାପରେ ଶୋଭାଯାତ୍ରାଟି ସହରର ମସଜିଦ୍ ରୋଡ୍, ବାରଦ୍ୱାର ରୋଡ୍, ରବାନୀ ଛକ, ଭଟ୍ଟାପଡ଼ା, ମେନ୍ ରୋଡ୍, ଖଡ଼ାଗାଲି, ପୌର କାର୍ଯ୍ୟାଳୟ, ସାପ୍ତାହିକ ବଜାର, ଉର୍ଦ୍ଦୁ ସ୍କୁଲ ଓ ତାଲକିପଡ଼ା ଦେଇ କର୍ବାଲାରେ ପହଞ୍ଚି ସମ୍ପନ୍ନ ହୋଇଥିଲା।

ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ (SP) ଅମୃତପାଲ କୌରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର ସହରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ବହୁ ସଂଖ୍ୟକ କନଷ୍ଟେବଳ ମୁତୟନ ହୋଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ସହରର ସମସ୍ତ କାର୍ଯ୍ୟକଳାପ ଏବଂ ସମ୍ବେଦନଶୀଳ ଛକଗୁଡ଼ିକ ଉପରେ ଡ୍ରୋନ୍ କ୍ୟାମେରା ଓ ସିସିଟିଭି ଜରିଆରେ ତୀକ୍ଷ୍ଣ ନଜର ରଖାଯାଇଥିଲା।

ଏହି ସାଂସ୍କୃତିକ ଓ ଧାର୍ମିକ ଗଣପର୍ବରେ ପଶ୍ଚିମାଞ୍ଚଳ ଡିଆଇଜି (DIG) ବ୍ରିଜେଶ ରାୟ, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି.ଏସ୍. ରାଜେନ ଏକ୍କା, ତହସିଲଦାର ଜଗବନ୍ଧୁ ମଲ୍ଲିକ, ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ବାଗ, ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ୍, ଉପ-ନଗରପାଳ ଏମ.ଡି. ଇରଫାନ ଏବଂ ସୁଶ୍ରୀତା ପାଇକରାୟ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା ଦିଗରେ ସହଯୋଗ କରିଥିଲେ। ଏଥିସହ ରାଜଗାଙ୍ଗପୁର ଏସଡିପିଓ (SDPO) ବିଭୂତି ଭୂଷଣ ଭୋଇ ଓ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ (IIC) ବିଜୟ କିଶୋର ଦାସ ସଦଳବଳେ ବିଭିନ୍ନ ଛକରେ ମୁତୟନ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ଅପରପକ୍ଷରେ, ଶୋଭାଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବାରେ ମୁସଲିମ୍ ପଞ୍ଚାୟତ କମିଟି ସଭାପତି ଏମ.ଡି. ଆରିଫ୍, ସାଧାରଣ ସମ୍ପାଦକ ମସୁଦ ଅମାନ, ଏମ.ଡି. ଜାବେଦ, ଅହମ୍ମଦ ଇଫ୍ତେଖାର, ଏମ.ଡି. ଉମର, ଏମ.ଡି. ଅସରଫ ଏବଂ ମୋହମ୍ମଦ ଇସ୍ରାର ଆଲମ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.