ମାଲକାନଗିରିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମାଓବାଦୀଙ୍କ ବଡ଼ ଅସ୍ତ୍ରଭଣ୍ଡାର ଠାବ…

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ରବିବାର ସକାଳେ ଡିଭିଏଫ୍ (DVF) ଯବାନଙ୍କ ପକ୍ଷରୁ କାଲିମେଳା ଥାନା ଅଧୀନ ଗୁଣ୍ଠାବଡ଼ା ଓ କଦମଗୁଡ଼ା ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ଏକ ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଛି। ଏହି ଅଞ୍ଚଳ ଆନ୍ଧ୍ରପ୍ରଦେଶର ଅଲୁରି ସୀତାରାମ ରାଜୁ ଜିଲ୍ଲାର ମୋଟୁଗୁଡେମ ଓ ଡୋଙ୍କରାଇ ଥାନା ସୀମା ସହ ସଂଲଗ୍ନ। ସକାଳ ପ୍ରାୟ ୬ଟା ୩୦ ମିନିଟ ସମୟରେ ଠାବ ହୋଇଥିବା ଏହି ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ୱାକି-ଟକି ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୨ଟି ଏସ୍‌ଏଲ୍‌ଆର୍ ରାଇଫଲ୍, ୩ଟି ପିସ୍ତଲ (ଏକ ଆମେରିକା ନିର୍ମିତ), .୩୦୩ ବନ୍ଧୁକ ବ୍ୟାରେଲ୍, ୨ କିଲୋ ଓ ୫ କିଲୋର ୨ଟି ଆଇଇଡି, ଗୋଟିଏ କ୍ଲେମୋର ମାଇନ୍, ୪ଟି ବିଜିଏଲ୍ ସେଲ୍, ୭ଟି ୱାକି-ଟକି, ୪୫ଟି ପେନ୍‌ଡ୍ରାଇଭ୍, ହାର୍ଡ ଡିସ୍କ, ପାୱାର ବ୍ୟାଙ୍କ, ବ୍ୟାଟେରୀ, ମେଡିସିନ୍ କିଟ୍ ସମେତ ବହୁ ବିସ୍ଫୋରକ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାରର ଉପକରଣ ରହିଛି। ପୁଲିସର ସନ୍ଦେହ ଅନୁଯାୟୀ, ଏହି ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ସୀମା ବିଶେଷ ଜୋନାଲ କମିଟି (AOBSZC)ର ମାଓବାଦୀ କ୍ୟାଡରଙ୍କର ଥିଲା। ସାଧାରଣ ଲୋକ ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିବା ପାଇଁ ଏହି ସାମଗ୍ରୀ ଗଚ୍ଛିତ ରଖାଯାଇଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ଜୁନ୍ ମାସରେ ଏହା ତୃତୀୟ ବଡ଼ ମାଓ ଡମ୍ପ ଉଦ୍ଧାର। ଗତ ୯ ଜୁନରେ ମାଥିଲି ଥାନା ଅଧୀନ କିର୍ମିଟି ଓ କଟୁଆପଦର ଜଙ୍ଗଲରୁ ଏଲ୍‌ଏମ୍‌ଜି, ଇନସାସ୍ ରାଇଫଲ୍, ଆଇଇଡି ଓ ଗ୍ରେନେଡ୍ ଜବତ ହୋଇଥିବା ବେଳେ, ୧୫ ଜୁନରେ ପଡ଼ିଆ ଥାନା ଅଧୀନ ଶିଳାକୋଟା, ପେରୱାଇ ଓ କେସ୍କାଗୁଡ଼ା ଅଞ୍ଚଳରୁ ଷ୍ଟେନ୍ କାର୍ବାଇନ୍, ପିସ୍ତଲ, ଆଇଇଡି, ୟୁବିଜିଏଲ୍ ଗ୍ରେନେଡ୍ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ଏସପି ବିନୋଦ ପାଟିଲ ଏଚ ସୂଚନା ଦେଇଛନ୍ତି । ମାଓବାଦୀ କାର୍ଯ୍ୟକଳାପର ପୁନରାବୃତ୍ତି ରୋକିବା ଲକ୍ଷ୍ୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ SOG ଓ DVF ପକ୍ଷରୁ ମିଳିତ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.