ବେଧଡକ ଚାଲିଛି ଗଛ କଟା, ଲଣ୍ଡା ହୋଇଗଲାଣି ଜଙ୍ଗଲ, ନିଘୋଡ଼ ନିଦ୍ରାରେ ବନ ବିଭାଗ..

ପୋଡ଼ୁ ଚାଷ ନିମନ୍ତେ ଗଛ କାଟୁ ଥିବା ମତ ରଖିଲେ ବାଲିମେଳା ରେଞ୍ଜର ।

add-all

ମାଲକାନଗିରି, ୨୮|୬ ବନ ବିଭାଗର ଅପାରଗତା ହେତୁ ଦିନ ଦ୍ବୀପହରେ ଗଛ କାଟୁଛନ୍ତି କାଠ ମାଫିଆ, ସବୁ ଜାଣି ଦୁର୍ଗମ ଅଞ୍ଚଳର ଆଳ ଦେଖାଇ ନିଜ ଡ୍ୟୁଟି ନ କରି ଏପଟେ ଘରେ ବସି ଦରମା ନେଉଛନ୍ତି ବନ ବିଭାଗ ରେଞ୍ଜର, ଫରେଷ୍ଟର, ଗାର୍ଡ ଙ୍କ ସମେତ ଅନ୍ୟ କର୍ମଚାରୀ। ଆଜି ଏପରି ଚିତ୍ର ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନରେ ଥିବା ନାକାମାମୁଡ଼ି ପଞ୍ଚାୟତର ଗାର୍ଡେନପଦର, କାରକାଗୁଡା, କେନ୍ଦୁଗୁଡା, ବାଲିଆଗୁଡା, ବାମରିଂ ଛକ, ରାବା, ଟାଇମାଲ ଆଦି ଅଞ୍ଚଳରେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ ଏହି ଅଞ୍ଚଳରେ ଥିବା ଜଙ୍ଗଲ ଗୁଡିକ ପୂର୍ବେ ଘଞ୍ଚ ଜଙ୍ଗଲ ଥିଲା କିନ୍ତୁ ବର୍ତ୍ତମାନ ବାଲିମେଳା ବନ ବିଭାଗର ଅପାରଗତା ହେତୁ ତାହା ବର୍ତ୍ତମାନ ଲଣ୍ଡା ପାହାଡ଼ରେ ପରିଣତ ହୋଇଛି। ଦିନ ଦ୍ବୀପହରେ ଏହି ଅଞ୍ଚଳରେ ବେଧଡକ ଗଛ କାଟୁଛନ୍ତି କାଠ ମାଫିଆ। ଏହି କାଠ କଟାଯାଇ ବାହାର ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବନ ବିଭାଗ ସବୁ ଜାଣି ଯେପରି ହାତବାନ୍ଧି ଚୁପ ବସିଛି। ଗଛ ଗୁଡିକ ଏପରି ବେଧଡ଼କ କଟାଯାଉଛି ଯେ ଜଙ୍ଗଲ ପୁରା ଲଣ୍ଡା ପାହାଡ଼ ରେ ପରିଣତ ହୋଇଯାଇଛି। ଦିନକୁ ଦିନ ଗାଡି ମୋଟର ସଂଖ୍ୟା ବଢୁଥିବା ବେଳେ ଗଛ ଗୁଡିକ କାଟି ଜଙ୍ଗଲ ଯଦି ସଫା କରାଯାଏ ତାହେଲେ ମନୁଷ୍ୟ ଏବଂ ଜୀବଜନ୍ତୁ ଆଗାମୀ ଦିନରେ ବଞ୍ଚିବା କଷ୍ଟକର ହୋଇପଡିବ ବୋଲି ଅନୁମାନ କରାଯାଉଛି। ତେବେ ଏତେ ପରିମାଣର ଗଛ କାଟି ସଫା କରାଯାଇଥିବା ବେଳେ ବନ ବିଭାଗ ବାଲିମେଳା ରେଞ୍ଜର, ଫରେଷ୍ଟର ଏବଂ ଗାର୍ଡ ଙ୍କ ସମେତ ଅନ୍ୟ କର୍ମଚାରୀ କଣ ନିଘୋଡ଼ ନିଦ୍ରାରେ ଶୋଇ ପଡିଥିଲେ କି ବୋଲି ବର୍ତ୍ତମାନ ସ୍ଥାନୀୟରେ ପ୍ରଶ୍ନ ଉଠୁଛି। ଏଥିସହ ବନ ବିଭାଗର ଆସୁଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ନାମରେ ଲକ୍ଷାଧିକ ଟଙ୍କା ଚଳୁ କରି ଖାଇବା ନିମନ୍ତେ ଅଧିକାରୀ ମାନେ ବ୍ୟସ୍ତ ରହୁଥିବା ବେଳେ ମାଫିଆ ମାନେ ଜଙ୍ଗଲ କାଟି ସଫା କରିବାକୁ କିଏ ପଚାରେ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଆମେ ବାଲିମେଳା ରେଞ୍ଜର ଲିସ୍ମିତା କଂହର ଙ୍କୁ ପଚାରିବାରୁ ସେ ଆମ କଥା ଟିକୁ ଅତି ହାଲୁକା ନେବା ସହ ପୋଡ଼ୁ ଚାଷ ପାଇଁ ସ୍ଥାନୀୟ ଲୋକେ ଜଙ୍ଗଲ ସଫା କରି ଦେଉଥିବା କହିଥିଲେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ପୋଡ଼ୁ ଚାଷ ପାଇଁ ଜଙ୍ଗଲ ସଫା ହେଉଛି ତେବେ ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ ସବୁ ଗଲା କୁଆଡେ। ତେବେ ସଚେତନତା କାର୍ଯ୍ୟକ୍ରମ ବାବଦକୁ ଆସୁଥିବା ଟଙ୍କା କେବଳ କଣ ଖାତା କଲମରେ। ଜିଲ୍ଲା ବନ ବିଭାଗ ଜିଲ୍ଲା ର କୋଣ ଅନୁକୋଣରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଥିବା ଡିଣ୍ଡୁମ ପିଟୁଥିବା ବେଳେ ତାହା କେବଳ ପ୍ରହସନ ପାଲଟିଛି। ଏନେଇ ଆମେ ସ୍ଥାନୀୟ ଫରେଷ୍ଟର ସମୀର ଜେନା ଙ୍କୁ ପଚାରିବାରୁ ସେ ମେଡିକାଲ କାର୍ଯ୍ୟ ରେ ବାହାରେ ରହିଥିବା ବେଳେ ବର୍ତ୍ତମାନ ନୂଆ କରି ଏଠାକୁ ବଦଳି ହୋଇଥିବା ହେତୁ ନିଜ ଗାର୍ଡ କୁ ପଠାଇ ଦେଖିବେ ବୋଲି କହିଛନ୍ତି। ତେବେ ବାଲିମେଳା ବନ ବିଭାଗ ପଙ୍ଗୁ ପାଲଟିଥିବା ହେତୁ ଆଜି ବିଶାଳକାୟ ଜଙ୍ଗଲ ଗୁଡିକରୁ ବେଧଡକ ଗଛ କାଟି ଜଙ୍ଗଲ ସଫା କରୁଛନ୍ତି କାଠ ମାଫିଆ। ତେଣୁ ଜିଲ୍ଲା ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.