
କଲକାତା : ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦଳରେ ବିଦ୍ରୋହ ପ୍ରକାଶ ପୂର୍ବକ ଅଲଗା ଗୋଷ୍ଠୀ ଗଠନ କରିଥିବା କିଛି ନେତାଙ୍କ ବିରୋଧରେ ଟିଏମସି ପୁଲିସରେ ମାମଲା ରୁଜୁ କରିଛି। ଏହି ବିଦ୍ରୋହୀ ନେତାମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଋତବ୍ରତ ବାନାର୍ଜୀ। ଟିଏମସି ଅଭିଯୋଗ କରିଛି ଯେ ଋତବ୍ରତ ବାନାର୍ଜୀ ଏବଂ ତାଙ୍କ ସହଯୋଗୀମାନେ ଦଳର ନାମ, ନିର୍ବାଚନୀ ଚିହ୍ନ ଏବଂ ଦଳର ଲେଟରପ୍ୟାଡ୍କୁ ଜାଲିଆତି କରିଛନ୍ତି। ଟିଏମସି ସାଂସଦ ଡୋଲା ସେନ୍ ବିଧାନନଗର ପୁଲିସ କମିସନରେଟ୍ ଅନ୍ତର୍ଗତ ନ୍ୟୁ ଟାଉନ୍ ଥାନାରେ ଦାୟର କରିଥିବା ମାମଲା ଅନୁଯାୟୀ ବିଦ୍ରୋହୀ ନେତାମାନେ ଜାଲ୍ ଲେଟରହେଡ୍ ବ୍ୟବହାର କରି ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତିଙ୍କ ନିକଟକୁ ଏକ ଚିଠି ପଠାଇଥିଲେ। ଯେଉଁଥିରେ ଋତବ୍ରତ ନିଜକୁ ଦଳର ମହାସଚିବ ବା ସାଧାରଣ ସମ୍ପାଦକ ଭାବେ ଉଲ୍ଲେଖ କରିଥିଲେ। ଦଳ ପକ୍ଷରୁ ଏହି ଘଟଣାର ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଡୋଲା ସେନ୍ ତାଙ୍କ ଏଫ୍ଆଇଆରରେ ଋତବ୍ରତଙ୍କ ସହିତ ଅରୂପ ରାୟ, ଜାଭେଦ ଖାଁ, ସନ୍ଦୀପନ ଶାହା, ବିଳ୍ପବ ମିତ୍ରା ଓ ଅନ୍ୟମାନଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି। ଏହି ବିଦ୍ରୋହୀ ନେତାମାନେ ନିଜକୁ ଦଳର କାର୍ଯ୍ୟକର୍ତ୍ତା ଦର୍ଶାଇବା ପୂର୍ବକ କଲକାତା ମହାନଗର ନିଗମ କାଉନସିଲରମାନଙ୍କ େବୖଠକ ମଧ୍ୟ ଡକାଇଥିଲେ।
