ରାମ ମନ୍ଦିର ଅର୍ଥ ଆତ୍ମସାତ୍‌ ଘଟଣାରେ ଅଭିଯୁକ୍ତ ଟିନ୍ନୁ ଯାଦବ ଘରୁ ଟଙ୍କା, ଅଳଙ୍କାର ଜବତ

add-all

ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ଘଟଣାର ତଦନ୍ତ କ୍ରମରେ ପୁଲିସ ଅଭିଯୁକ୍ତ ରାମଶଙ୍କର ଯାଦବ ଓ ଟିନ୍ନୁ ଯାଦବଙ୍କ ଘରୁ ଟଙ୍କା, ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ରବିବାର ପୁଲିସର ଏକାଧିକ ଟିମ୍ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଟିନ୍ନୁ ଯାଦବଙ୍କ ସମେତ ସମସ୍ତ ୮ ଜଣ ଅଭିଯୁକ୍ତଙ୍କ ଘରେ ଏକକାଳୀନ ଚଢ଼ଉ କରିଥିଲା। ତଦନ୍ତକାରୀ ଦଳ ଟିନ୍ନୁ ଯାଦବଙ୍କ ଅଯୋଧ୍ୟାସ୍ଥିତ ବାସଭବନରେ ଚଢ଼ଉ କରି ଟଙ୍କା, ସୁନା, ରୁପା ଗହଣା ଏବଂ ସମ୍ପତ୍ତିବାଡିର କାଗଜପତ୍ର ଜବତ କରିଛି। ଅନ୍ୟ ଅଭିଯୁକ୍ତ ମନୀଷ ଯାଦବଙ୍କ ଘରୁ ଆଧାର କାର୍ଡ, ପାନ୍ କାର୍ଡ ଏବଂ ବ୍ୟାଙ୍କ କାଗଜପତ୍ର ଜବତ କରିଛି। ଟିନ୍ନୁ ଯାଦବ ପୂର୍ବରୁ ଅଯୋଧ୍ୟାରେ ଜଣେ ଅଟୋ ଚାଳକ ଥିଲେ। ପରବର୍ତ୍ତୀ ସମୟରେ ସେ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ବ୍ୟକ୍ତିଗତ ଗାଡ଼ି ଚାଳକ ଓ ସେବାଦାର ଭାବେ କାମ କରୁଥିଲେ।

ସେ ମନ୍ଦିରର ଷ୍ଟ୍ରଙ୍ଗ ରୁମ୍ (ଯେଉଁଠି ଟଙ୍କା ଗଣାଯାଏ)ର ଚାବି ନିଜ ପାଖରେ ରଖୁଥିଲେ ଏବଂ ନିଜ ପ୍ରଭାବ ବିସ୍ତାର କରି ଏହି ମହାଘୋଟାଲାର ମୁଖ୍ୟ ସୂତ୍ରଧର ସାଜିଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ଟିନ୍ନୁ ଯାଦବ, ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ସୁଭାଷ ଶ୍ରୀବାସ୍ତବ ଏବଂ ଟଙ୍କା ଗଣୁଥିବା ଏଜେନ୍ସିର ୬ ଜଣ କର୍ମଚାରୀଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କ ପାଖରୁ ପ୍ରାୟ ୮୦ ଲକ୍ଷ ଟଙ୍କା ଜବତ କରିଛି।
ମନ୍ଦିର ଟ୍ରଷ୍ଟ ବ୍ୟାଙ୍କ ଜମା ଖାତାରେ ଗଡ଼ବଡ଼ ଦେଖିବା ପରେ ଟଙ୍କା ଗଣାଯାଉଥିବା ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ। ସେହି ଭିଡିଓରୁ ଜଣାପଡ଼ିଥିଲା ଯେ କର୍ମଚାରୀମାନେ ସିସିଟିଭି କ୍ୟାମେରାକୁ ଆଢୁଆଳ କରି ଟଙ୍କା ଏବଂ ଭକ୍ତମାନେ ଚଢ଼ାଇଥିବା ଅଳଙ୍କାର ଚୋରି କରି ନିଜ ପୋଷାକରେ ଲୁଚାଉଥିଲେ। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଏବଂ ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ad-week
Leave A Reply

Your email address will not be published.