ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ନବୀନ-ପାଣ୍ଡିଆନଙ୍କୁ କୋର୍ଟଙ୍କ ନୋଟିସ୍

add-all

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍‌ ଜାରି ହୋଇଛି। ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୩୦୦ ଥର ହେଲିକପ୍ଟରରେ ଉଡ଼ାଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଆଇନଜୀବୀ ସୁଧୀର ମହାନ୍ତ।

ରାଜ୍ୟର ବିଭିନ୍ନ ସ୍ଥାନକୁ ପାଣ୍ଡିଆନ୍‌ଙ୍କ ବାରମ୍ବାର ହେଲିକପ୍ଟର ଗସ୍ତ ଏବଂ ଏ ବାବଦରେ ହୋଇଥିବା ଖର୍ଚ୍ଚକୁ ନେଇ ଦାଏର ରିଭିଜନ୍ ପିଟିସନ୍‌କୁ ବିଚାର ପାଇଁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ, ଆଇନଜୀବୀ ସୁଧୀର ଚରଣ ମହାନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟଙ୍କ ପୂର୍ବ ଆଦେଶକୁ ଚ୍ୟାଲେଞ୍ଜ କରି ବରିଷ୍ଠ ଓକିଲ ମନୋଜ ନାୟକଙ୍କ ମାଧ୍ୟମରେ ଜିଲା ଦୌରାଜଜ୍‌ଙ୍କ ନିକଟରେ ଏହି ରିଭିଜନ୍ ପିଟିସନ୍ ଦାଏର କରିଥିଲେ। କୋର୍ଟ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ଅନୁମତି ଦେଇଛନ୍ତି। ଅଦାଲତ ଉକ୍ତ ରିଭିଜନ୍ ପିଟିସନକୁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ସେମାନଙ୍କୁ ଜବାବ ଦେବାକୁ କୁହାଯାଇଛି।

ଆବେଦନକାରୀ ମହାନ୍ତିଙ୍କ ଅଭିଯୋଗପତ୍ରକୁ ଆଧାର କରି ସମସ୍ତ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।ଶ୍ରୀ ମହାନ୍ତି ୨୦୨୪ ଅଗଷ୍ଟ ୧୪ରେ କ୍ୟାପିଟାଲ ଥାନାରେ ନବୀନ ଓ ପାଣ୍ଡିଆନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ରଖିଥିଲେ ମଧ୍ୟ ମାମଲା କରିନଥିଲା। ପରେ ସେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର କୋର୍ଟ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେବା ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷ (ରାଜ୍ୟପାଳ)ଙ୍କଠାରୁ ପ୍ରସିକ୍ୟୁସନ୍ ସାଙ୍କସନ୍ ବା ମାମଲା ଚଲାଇବା ପାଇଁ ଅନୁମତି ଜରୁରୀ ବୋଲି କହିଥିଲେ। କିନ୍ତୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠୁ ଅନୁମତି ଆଣିବାରେ ଆବେଦନକାରୀ ବିଫଳ ହେବାରୁ ଏସ୍‌ଡିଜେଏମ୍ କୋର୍ଟ ମାମଲାକୁ ଖାରଜ କରିଦେଇଥିଲେ। ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଆବଶ୍ୟକ ତଥ୍ୟ ପ୍ରମାଣ ସହ ସେ ରିଭିଜନ୍ ପିଟିସନ୍ ଦାଖଲ କରିଥିଲେ।

ad-week
Leave A Reply

Your email address will not be published.