
ଛତ୍ରପୁର : ସମୁଦ୍ର ଆଁରେ ଗାଁ । ଭୟଭୀତ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ଗାଁଲୋକଙ୍କ ସହ ଜିଲ୍ଲାପାଳଙ୍କ ବୈଠକ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ହୋଇଛି । ଗଞ୍ଜାମ ବ୍ଲକର ପୋଡ଼ମପେଟା ଗାଁରେ ସମୁଦ୍ର କୂଳ ଲଙ୍ଘୁଛି । ପୋଡ଼ମପେଟା ସମେତ ୧୭ ଖଣ୍ଡ ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଆଶଂକା ରହିଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ । ସମୁଦ୍ର କୂଳ ନିକଟରେ ଗାର୍ଡ ୱାଲ ସମେତ ପଥର ବନ୍ଧ ଓ ଡ୍ରେଜିଙ୍ଗ କରିବା ପାଇଁ ଦାବି କରିଛନ୍ତି ।
ଏହାର ସ୍ଥାୟୀ ସମାଧାନ ପାଇଁ ଡିପିଆର ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପଠାଇବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ପୋଡ଼ମପେଟା ଗାଁ ଆଜି ଜଳବାୟୁ ପରିବର୍ତ୍ତନର ଜ୍ୱଳନ୍ତ ଉଦାହରଣ ପାଲଟିଛି । ଏହି ଗାଁ ଏକଦା ଏକ ସମୃଦ୍ଧ ମତ୍ସ୍ୟଜୀବୀ ଗ୍ରାମ ଥିଲା । କିନ୍ତୁ ଆଜି ଏହା ଏକ ‘ଭୂତ ଗ୍ରାମ’ ବା ଜନଶୂନ୍ୟ ଅଞ୍ଚଳରେ ପରିଣତ ହୋଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ସମୁଦ୍ରର ଜଳସ୍ତର ବୃଦ୍ଧି ଏବଂ ଉଚ୍ଚ ଜୁଆର ଯୋଗୁଁ ଗାଁମର ଅନେକ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ସମୁଦ୍ର କୂଳ ଲଂଘି ଗାଁ ଭିତରକୁ ପ୍ରବେଶ କରିବା ଫଳରେ ଲୋକଙ୍କ ପୁରୁଷାନୁକ୍ରମିକ ଘର, ଚାଷଜମି ଏବଂ ଜୀବିକା ନଷ୍ଟ ହୋଇଯାଇଛି ।
