
ମାଲକାନଗିରି, ସରକାରଙ୍କ ପକ୍ଷରୁ ଶ୍ରବଣ ବାଧିତଙ୍କ ପାଇଁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଆବଶ୍ୟକ ଡାକ୍ତରୀ ସେବା ଓ ଠିକ୍ ଟ୍ୟୁନିଂ ବ୍ୟବସ୍ଥା ନଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଏଭଳି ଅଭିଯୋଗ କରିଛନ୍ତି ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ବୃଦ୍ଧାଶ୍ରମରେ ରହୁଥିବା ୮୬ ବର୍ଷର ହରି ପରିଡ଼ା।
ତାଙ୍କ କହିବା ଅନୁଯାୟୀ, କୋରକୁଣ୍ଡାରେ ତାଙ୍କୁ ଶ୍ରବଣ ଯନ୍ତ୍ର ଦିଆଯାଇଥିଲା, କିନ୍ତୁ ଏହାର ସଠିକ୍ ସଂଯୋଗ ଓ ଟ୍ୟୁନିଂ ହୋଇନଥିବାରୁ ଦିନଟିଏ ମଧ୍ୟ ଏହାର ସୁଫଳ ପାଇପାରିନାହାନ୍ତି। ମାଲକାନଗିରିରେ ଏ ସମ୍ବନ୍ଧୀୟ ବିଶେଷଜ୍ଞ ଡାକ୍ତର ନଥିବାରୁ ପରିବାର ଲୋକେ ତାଙ୍କୁ ଜଗଦଲପୁର ନେଇଥିଲେ। ସେଠାରେ ଯନ୍ତ୍ର ଠିକ୍ କରିବା ପାଇଁ ୩୫୦୦ ଟଙ୍କା ଦାବି କରାଯାଇଥିଲା। ପରେ କୋରାପୁଟ ଯିବାରୁ ସରକାରୀ ଡାକ୍ତର ତାଙ୍କୁ ଏକ ଘରୋଇ କ୍ଲିନିକକୁ ପଠାଇଥିଲେ, ଯେଉଁଠାରେ ୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଥିଲା।
ହରି ପରିଡ଼ା ବୃଦ୍ଧ ଜଣକ କହିଛନ୍ତି, ତିନି ମାସ ହେଲା ତାଙ୍କର ଭତ୍ତା ମଧ୍ୟ ମିଳୁନାହିଁ। ଏପରି ସ୍ଥିତିରେ ଏତେ ଟଙ୍କା ଖର୍ଚ୍ଚ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ତାଙ୍କ ପ୍ରଶ୍ନ, “ସରକାର ଯନ୍ତ୍ର ଦେଲେ, କିନ୍ତୁ ତାହା ବ୍ୟବହାର ଉପଯୋଗୀ କରିବାର ବ୍ୟବସ୍ଥା ନ କଲେ ଏହି ଯୋଜନାର ଲାଭ କାହାକୁ ମିଳିବ?”
ଏହା ସହ ସେ ପାରିବାରିକ ସମ୍ପତ୍ତିକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ହରି ପରିଡ଼ାଙ୍କ କହିବା ଅନୁଯାୟୀ, ସମସ୍ତ ଜମିବାଡ଼ି ବଡ଼ ପୁଅ ନିଜ ପୁଅଙ୍କ ନାମରେ କରିଦେଇଛନ୍ତି। ପ୍ରତିମାସରେ ଝିଅଙ୍କୁ କିଛି ଟଙ୍କା ଦିଆଯାଉଥିଲେ ମଧ୍ୟ ତାଙ୍କୁ କୌଣସି ଆର୍ଥିକ ସହାୟତା ମିଳୁନାହିଁ। ସେ ଦାବି କରିଛନ୍ତି ଯେ ତାଙ୍କ ଜମିରୁ ସାନ ପୁଅଙ୍କୁ ଅଂଶ ଦିଆଯାଉ କିମ୍ବା ସମ୍ପତ୍ତି ତାଙ୍କ ନାମକୁ ଫେରାଇ ଦିଆଯାଉ। ସେ ଆହୁରି କହିଛନ୍ତି ଯେ, ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇସାରିଛି ଏବଂ ତାଙ୍କ ଜୀବିକା ପାଇଁ ଯେଉଁ ଆର୍ଥିକ ସହାୟତା ମିଳୁଛି, ତାହା ଝିଅଙ୍କୁ ନ ଦେଇ ସିଧାସଳଖ ତାଙ୍କୁ ପ୍ରଦାନ କରାଯାଉ।
ବୃଦ୍ଧଙ୍କ କହିବା କଥା, “ପ୍ରଥମେ ମୋ କାନ ଠିକ୍ ଭାବେ ଶୁଣିବା ଭଳି କରନ୍ତୁ। ତାହାହେଲେ ମୁଁ ମୋ ଅଧିକାର ଓ ନ୍ୟାୟ ପାଇଁ ଠିକ୍ ଭାବେ ଲଢ଼ିପାରିବି।”
ଏହି ଘଟଣା ପୁଣିଥରେ ଦର୍ଶାଇଛି ଯେ, କେବଳ ସହାୟକ ଉପକରଣ ବଣ୍ଟନ କରିଦେଲେ ହେବ ନାହିଁ, ବରଂ ସେଗୁଡ଼ିକର ସଠିକ୍ ବ୍ୟବହାର, ନିୟମିତ ଯାଞ୍ଚ ଓ ବିଶେଷଜ୍ଞ ଚିକିତ୍ସା ସେବା ମଧ୍ୟ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲ ରେ ମତ ପ୍ରକାଶ ପାଉଛି।
