
ଭୁବନେଶ୍ୱର : ଭୁବନେଶ୍ୱରର ପଳାଶୁଣୀ ରସୁଲଗଡ଼ ଅଞ୍ଚଳରେ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ସ୍କାଏୱାକ୍ ନିର୍ମାଣ ହେବ । ୪୫୦ ମିଟର ଲମ୍ବ ବିଶିଷ୍ଟ ଏହି ସ୍କାଏୱାକ୍ ର ଭିତ୍ତିପ୍ରସ୍ତର ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାପନ କରିଛନ୍ତି । ପ୍ରାୟ ୧୮ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ସ୍କାଏୱାକ୍ ପଳାଶୁଣୀ ଓ ରସୁଲଗଡ଼କୁ ସଂଯୋଗ କରିବ । ଏହା ନିର୍ମାଣ ହେବା ପରେ ଜାତୀୟ ରାଜପଥରେ ପଥଚାରୀମାନେ ସୁରକ୍ଷିତ ଭାବେ ରାସ୍ତା ପାର ହୋଇପାରିବେ ଏବଂ ଅଞ୍ଚଳର ଦୀର୍ଘଦିନର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହେବ ।
ସ୍କାଏୱାକ୍ ରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଲିଫ୍ଟ, ଏସ୍କାଲେଟର ଏବଂ ଆଧୁନିକ ଆଲୋକୀକରଣ ବ୍ୟବସ୍ଥା ରହିବ । ବିଶେଷ କରି ବୃଦ୍ଧ ଓ ଦିବ୍ୟାଙ୍ଗମାନେ ସହଜରେ ଏହାର ସୁବିଧା ନେଇପାରିବେ । ଏହି ପ୍ରକଳ୍ପ ସହ ପଳାଶୁଣୀ ଅଞ୍ଚଳରେ ଆଉ ତିନୋଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବ । ସେହିପରି ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ବିଶିଷ୍ଟ ପଳାଶୁଣୀ ଓଭରବ୍ରିଜ୍ ର କାର୍ଯ୍ୟ ମଧ୍ୟ ଚାଲିଛି। ଏହା ସହ ଦୁଇଟି ୭ ମିଟର ଚଉଡ଼ା ସର୍ଭିସ ରୋଡ୍ ମଧ୍ୟ ନିର୍ମାଣ କରାଯିବ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ପକ୍ଷରୁ ୨୦୨୭ ମାର୍ଚ୍ଚ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
