
ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ବାଲି ଚୋରାଚାଲାଣ ବିରୋଧରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ରାଏବଗା ଏବଂ ବୀରମିତ୍ରପୁର ପୋଲିସର ମିଳିତ ଆନୁକୁଲ୍ୟରେ ଆଜି ଏକ ବାଲି ଗଦା ଉପରେ ଚଢ଼ାଉ କରାଯାଇ ଗୋଟିଏ ଜେସିବି (JCB) ଏବଂ ଗୋଟିଏ ଟିପର୍ ଟ୍ରକ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଏବଗା ଥାନା ଅଧୀନସ୍ତ ସଲଙ୍ଗାବାହାଲ ଅଞ୍ଚଳରୁ ଦୀର୍ଘ ଦିନ ହେବ ବେଆଇନ ଭାବେ ବାଲି ଚୋରାଚାଲାଣ ଚାଲିଥିଲା। ପ୍ରତିଦିନ ଏହି ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ମାଫିଆମାନେ ଚୋରା ଚାଲାଣ କରୁଥିଲେ। ଆଜି ସୂଚନା ପାଇ ବୀରମିତ୍ରପୁର ଏସଡିପିଓ (SDPO) ପୁଷ୍ପେନ୍ଦୁ ସାଗର, ବୀରମିତ୍ରପୁର ଥାନା ଭାରପ୍ରାପ୍ତ ଅଧିକାରୀ ରାମ ପ୍ରସାଦ ନାଗ ଏବଂ ରାଏବଗା ଥାନା ଭାରପ୍ରାପ୍ତ ଅଧିକାରୀ ଦିବ୍ୟ କୁମାର ଓରାମଙ୍କ ନେତୃତ୍ୱରେ ପୋଲିସ ଟିମ୍ ସଲଙ୍ଗାବାହାଲଠାରେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ବାଲି ଖନନ ଓ ପରିବହନରେ ବ୍ୟବହୃତ ହେଉଥିବା ଜେସିବି ଓ ଟିପର୍କୁ ଜବତ କରାଯାଇଛି। ବର୍ତ୍ତମାନ ଏହି ଦୁଇଟିଯାକ ଗାଡ଼ିକୁ ରାଏବଗା ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଛି।
ବେଆଇନ ବାଲି ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ସଜାଗ ଅଛି ବୋଲି ପୋଲିସ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଆଗକୁ ମଧ୍ୟ ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
