ଫିଟନେସ ନ ଥିଲେ ଜବତ ହେବ ଗାଡ଼ି

add-all

ଭୁବନେଶ୍ୱର: ଫିଟନେସ୍ ନଥିଲେ ରାସ୍ତାରେ ଗଡିପାରିବନି ଗାଡି। ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ। ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ‎ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ଵତନ୍ତ୍ର ଯାଞ୍ଚ ‎ଅଭିଯାନ ଜାରି ରହିଛି । ତେବେ ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀ ଓ ସଡ଼କ ସୁରକ୍ଷା ନିୟମ ପାଳନକୁ ନେଇ ଗୁରୁତର ‎ତ୍ରୁଟି କରୁଥିବା ଗାଡ଼ି ଗୁଡ଼ିକୁ ଅଙ୍କୁଶ ଲଗାଇବାକୁ ଆଭିମୁଖ୍ୟକୁ ଆହୁରି କଠୋର କରିବାକୁ ନିଷ୍ପତ୍ତି ହୋଇଛି । ଏଭଳି ଗାଡ଼ିକୁ ‎କେବଳ ଜରିମାନା ଲାଗୁ କରି ଛାଡ଼ିଦେବା ବଦଳରେ ମୋଟର ଯାନ ନିୟମ ଅନୁଯାୟୀ ଜବତ କରିବା ଭଳି କାର୍ଯ୍ୟାନୁଷ୍ଠାନ ‎ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଏହି ସନ୍ଦର୍ଭରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ଓ ‎ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସର୍କୁଲାର ଜାରି କରି ଅବଗତ କରାଇଛି ରାଜ୍ୟ ପରିବହନ ପ୍ରାଧିକରଣ । ଏଥିରେ ‎ଦର୍ଶାଯାଇଛି ଯେ, ଗତ ଏପ୍ରିଲ ପହିଲାରୁ ୩୦ ଜୁନ୍ ୨୦୨୬ ମଧ୍ୟରେ ହୋଇଥିବା ଏନଫୋର୍ସମେଣ୍ଟ କାର୍ଯ୍ୟର ସମୀକ୍ଷାରୁ ‎ଜଣାପଡ଼ିଛି ଯେ, ନିୟମ ଉଲ୍ଲଙ୍ଘନ କରି ଚଳାଚଳ କରୁଥିବା ମୋଟର ଯାନଗୁଡ଼ିକ ବିରୋଧରେ ମୋଟର ଯାନ ଆଇନର ‎ଧାରା ୧୯୨ ଅଧୀନରେ ଅନେକ ଚାଲାଣ ଜାରି ହୋଇଥିଲେ ସୁଦ୍ଧା ଧାରା ୨୦୭ ଅନୁଯାୟୀ ଗାଡ଼ି ଜବତ ସଂଖ୍ୟା କମ୍ ‎ରହିଛି। ଏହି ସମୟରେ ସାରା ରାଜ୍ୟରେ ୧,୬୪,୮୮୨ ଚାଲାଣ ଜାରି ହୋଇଥିବା ବେଳେ ମାତ୍ର ୪୨୮ ଟି ଗାଡ଼ି ଜବତ ‎ହୋଇଛି। ‎

କେବଳ ଚାଲାଣ ଜାରି କରି ଅଯୋଗ୍ୟ ଏବଂ ଅନୁପଯୁକ୍ତ ଗାଡ଼ିକୁ ଛାଡ଼ିଦେବା ଦ୍ୱାରା ସଡ଼କ ସୁରକ୍ଷା ଉଦ୍ଦେଶ୍ୟ ସାଧିତ ‎ହେଉନାହିଁ। ଏଭଳି ଅନୁପଯୁକ୍ତ ଗାଡ଼ି ଗୁଡ଼ିକ ବିନା ଉଚିତ୍ ସୁଧାରରେ ପୁଣି ଥରେ ରାସ୍ତାକୁ ଆସୁଛନ୍ତି । ଏହି ବେଆଇନ ଗାଡ଼ି ‎ଚଳାଚଳ ଯୋଗୁଁ ଅନେକ ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ତେଣୁ ଏଣିକି ଯଦି କୌଣସି ‎ଗାଡ଼ି ଫିଟନେସ୍ (FC) ବିନା ଗାଡ଼ି ଚଳାଉଛନ୍ତି, ତେବେ ସେମାନଙ୍କ ‎ବିରୋଧରେ କଠୋର ଆଭିମୁଖ୍ୟ ସ୍ୱରୂପ ଗାଡ଼ି ଜବତ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ପଞ୍ଜିକରଣ, ପରମିଟ୍ କିମ୍ବା ବୀମା ‎ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ମଧ୍ୟ କଡ଼ା ଆଭିମୁଖ୍ୟ ପୋଷଣ କରିବା ପାଇଁ କୁହାଯାଇଛି। ‎

ତେବେ ଏହି ପଦକ୍ଷେପରେ ପାରଦର୍ଶିତା ଲାଗି କୁହାଯାଇଛି ଯେ, ଯଦି ଏଭଳି କୌଣସି ଗାଡ଼ିକୁ ଏନଫୋର୍ସମେଣ୍ଟ ଅଧିକାରୀ ‎ଜବତ କରନ୍ତି କିମ୍ବା ନ କରନ୍ତି, ଉଭୟ କ୍ଷେତ୍ରରେ ସେମାନେ କାର୍ଯ୍ୟାନୁଷ୍ଠାନର ଉଚିତ୍ କାରଣ ଦର୍ଶାଇବେ। ସମଗ୍ର ରାଜ୍ୟରେ ‎ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୋଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରାଯିବା ସହ VAHAN ଏବଂ e-‎Challan ଡ୍ୟାସବୋର୍ଡରେ ଆଲର୍ଟ ବ୍ୟବସ୍ଥାର ସହାୟତା ମଧ୍ୟ ନିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ କୌଣସି ବି ଅଧିକାରୀ ସଡ଼କ ସୁରକ୍ଷା ନିୟମ ‎ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନରମ ଆଭିମୁଖ୍ୟ ପୋଷଣ ନ କରିବାକୁ କୁହାଯାଇଛି।

ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ସଡ଼କ ଦୁର୍ଘଟଣା ହ୍ରାସକୁ ମିଶନ ଭାବରେ ଗ୍ରହଣ କରିବାକୁ ‎ସରକାରଙ୍କ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ଯୋଗୁଁ ନିରୀହ ଜୀବନ ଅକାଳରେ ଚାଲିଯାଉଛି। ବିନା ଫିଟନେସ ଗାଡ଼ି ଯୋଗୁଁ ଦୁର୍ଘଟଣା ବଢ଼ୁଛି । ପୂର୍ବରୁ କେବଳ ଜରିମାନା ଜାରି ହେଉଥିବା ବେଳେ ପରେ ପଞ୍ଜିକରଣ ରଦ୍ଦ ଭଳି ଆଭିମୁଖ୍ୟ ନିଆଯାଇଛି । ତେବେ ଏହି ବିନା ଫିଟନେସ ଗାଡ଼ି ଚଳାଚଳ ଚିତ୍ରରେ ସୁଧାର ‎ପାଇଁ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣର ଆବଶ୍ୟକତା ରହିଛି । ତେବେ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ନ ହେବାକୁ ସମସ୍ତ ସଡ଼କ ବ୍ୟବହାରକାରୀ ‎ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରାଯାଉଛି।

ad-week
Leave A Reply

Your email address will not be published.