
ମାଲକାନଗିରି : ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସରରେ ୭୭ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ (ଏସପି), ମାନ୍ୟବର ଜିଲ୍ଲା ଜଜ୍, ଜିଲ୍ଲା ପରିଷଦ ସଭାପତି ସମାରି ତଙ୍ଗୁଲ, ମାନ୍ୟବର ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ବିଏସଏଫ ଅଧିକାରୀ, ଭିଏସଏସ ସଦସ୍ୟ, ବନ ବିଭାଗର କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ମାଲକାନଗିରି ବନଖଣ୍ଡ ଅଧିକାରୀ (ଡିଏଫଓ) ଙ୍କ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରାୟ ୨୦୦ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସହ ଜଙ୍ଗଲ ନିଆଁ ନିର୍ବାପନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜୁଲକୋଣ୍ଡା ଭିଏସଏସକୁ ଉପଖଣ୍ଡ ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ଏହା ସହିତ ନିରନ୍ତର ନଜର ରଖିବା ଏବଂ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗ ଦ୍ଵାରା ଜଙ୍ଗଲ ନିଆଁ ଲାଗୁ ଥିବା କ୍ଷେତ୍ର ଗୁଡିକୁ ଶୂନ୍ୟକୁ ହ୍ରାସ କରିଥିବାରୁ କୁଡୁମୁଲୁଗୁମ୍ମା ସେକ୍ସନ ଏବଂ ଡଙ୍କରାଇ ସେକ୍ସନ ସମେତ ସେମାନଙ୍କ କ୍ଷେତ୍ର କର୍ମଚାରୀ, ଅଗ୍ନିଶମ ସ୍କ୍ୱାଡ୍ ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସେକ୍ସନ ଭାବେ ସମ୍ବର୍ଦ୍ଧିତ କରାଯାଇଛି।
ଏଥି ସହ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ଆୟୋଜିତ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପରିବେଶ ସଂରକ୍ଷଣରେ ଜନସାଧାରଣଙ୍କ ସହଭାଗିତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ଚାରା ବଣ୍ଟନ କରାଯାଇ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପ୍ତ କରାଯାଇ ଥିଲା ।
