ପ୍ରତ୍ୟୁଷାଙ୍କ ଚିଠି ରହସ୍ୟ: ଉଚ୍ଚସ୍ତରୀୟ ତଦନ୍ତ ଦାବିକଲା କଂଗ୍ରେସ…

add-all


ନୟାଗଡ଼:ନୟାଗଡ଼ ବିଜେପି ନେତ୍ରୀ ପ୍ରତ୍ୟୁଷା ରଜେଶ୍ୱରୀ ସିଂଙ୍କ ଚିଠି ରହସ୍ୟକୁ ନେଇ ଏବେ ସବୁଠାରେ ଚର୍ଚ୍ଚା ।ପ୍ରତ୍ୟୁଷାଙ୍କ ଚିଠି ପୋଲିସ ବିଭାଗ ବ୍ୟତୀତ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରତ୍ୟୁଷାଙ୍କୁ ମଧ୍ୟ ବଦନାମ କରିଛି। ପ୍ରତ୍ୟୁଷାଙ୍କ ଲେଟରପ୍ୟାଡ, ଦସ୍ତଖତ ଓ ଷ୍ଟାମ୍ପକୁ ନକଲ କରି କିଏ ଚିଠି ଲେଖିଲା ଏବଂ ଏହାକୁ ସୋସିଆଲ ମିଡିଆରେ ଛାଡ଼ିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।ଏହାକୁ ନେଇ ପ୍ରତ୍ୟୁଷା ନୟାଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପ୍ରତ୍ୟୁଷାଙ୍କ କେହି ନିକଟତମ ଲୋକ ଏହା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଥିବା ବେଳେ ଏହାର ସଠିକ୍ ତଦନ୍ତ କରିବାକୁ ଦାବି ହୋଇଛି ।ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ ବିଜେପି ନେତ୍ରୀ ପ୍ରତ୍ୟୁଷା ରଜେଶ୍ଵରୀ ସିଂଙ୍କ ପ୍ୟାଡରେ ଦୁଇଟି ଚିଠି ସାମ୍ନାକୁ ଆସିଥିଲା ।ନୟାଗଡ଼ ଅତିରିକ୍ତ ଏସପି ଜ୍ୟୋତିରଂଜନ ସାମନ୍ତରାୟଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଗୃହ ବିଭାଗକୁ ପ୍ରତ୍ୟୁଷାଙ୍କ ଲେଟର ପ୍ୟାଡରେ ଅଭିଯୋଗ କରାଯାଇଥିବା ଚିଠି ସୋସିଆଲ ମିଡିଆରେ ଘୁରି ବୁଲିଲା ।ପ୍ରଥମ ଚିଠିଟି ମେ ମାସ ୨୫ ତାରିଖରେ ହୋଇଥିବା ବେଳେ ଦ୍ଵିତୀୟ ଚିଠିଟି ଜୁନ ୩ ତାରିଖ ଉଲ୍ଲେଖ ରହିଛି।ଏହି ଚିଠି ପାଇଁ ଦଳ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ତୁମ୍ବି ତୋଫାନ ଆରମ୍ଭ ହୋଇଥିଲା ବେଳେ ଅତିରିକ୍ତ ଏସପି ଜ୍ୟୋତିରଂଜନ ସାମନ୍ତରାୟ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଭାବେ ଚିଠିରେ ଉଲ୍ଲେଖ ରହିଛି ଏବଂ ତାଙ୍କୁ ନୟାଗଡ଼ ଜିଲ୍ଲାରୁ ବଦଳି କରିବା ପାଇଁ ଚିଠିରେ ଦାବି କରାଯାଇଛି ।ମାତ୍ର ଉଭୟ ପୋଲିସ ଏବଂ ଶାସକ ଦଳକୁ ଏହି ଚିଠି ମାଧ୍ୟମରେ ବଦନାମ କରିଥିବା ଖଳନାୟକ କିଏ, ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ ନୟାଗଡ଼ ଟାଉନ ଥାନାରେ ଗତ ମେ ମାସ ୧୮ ତାରିଖରେ ଦୁଇ ଅଭିଯୁକ୍ତଙ୍କ ଗିରଫକୁ ନେଇ ପ୍ରତ୍ୟୁଷାଙ୍କ କିଛି ସମର୍ଥକ ଥାନା ଘେରାଉ କରିବା ସହିତ ପୋଲିସ ଉପରକୁ ହାତ ଉଠାଇଥିଲେ ।ଏହି ଘଟଣାରେ ପୋଲିସ ୭୦ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲା ।ଏହି ଘଟଣାକୁ ନେଇ ପ୍ରତ୍ୟୁଷାଙ୍କ ସମର୍ଥକ ମାନେ ପୋଲିସ ବିଶେଷ କରି ଅତିରିକ୍ତ ଏସପି ଜ୍ୟୋତିରଂଜନ ସାମନ୍ତରାୟଙ୍କ ଉପରେ ରକ୍ତ ଚାଉଳ ଚୋବାଉଥିଲେ । ତେଣୁ ଅତିରିକ୍ତ ଏସ୍ପିଙ୍କୁ ବଦଳି ଦାବି କରି ଚିଠି ଭାଇରାଲ ପଛରେ ଏହି ଘଟଣା ଥିବା କଥା ମଧ୍ୟ ଆଲୋଚନା ହେଉଛି।ହେଲେ ଏହି ଘଟଣା କ୍ରମର ପୋଲିସ ସଠିକ୍ ତଦନ୍ତ କରିବ ନା ଖାଲି ମାମଲା ରୁଜ୍ଜୁ କରି ଚୁପ୍ ବସିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଉକ୍ତ ଘଟଣାକୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ ନିନ୍ଦା କରିବା ସହିତ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।ସେ ନୟାଗଡ଼ ଏସପିଙ୍କୁ ଟୁଇଟ ଦ୍ଵାରା ଦାବି କରିଛନ୍ତି ଯେ ଯଦି ବିଜେପି ନେତ୍ରୀଙ୍କ ଦସ୍ତଖତ ଜାଲ ତେବେ ତାହାର ସତ୍ୟତା ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହୋଇଥିବା ଚିଠି ଏବଂ ଟାଉନ ଥାନାରେ ଲିଖିତ ଅଭିଯୋଗରେ ବିଜେପି ନେତ୍ରୀଙ୍କ ଦସ୍ତଖତ ଏବଂ ଆଇନ୍ ଅନୁଯାୟୀ ୧୦ଟି ସ୍ପେଶିମେନ ଦସ୍ତଖତ ସହିତ ମାନ୍ୟବର ଏସଡିଜେଏମଙ୍କ ଅନୁମୋଦନରେ ରାଜ୍ୟ ପୋଲିସ ହାଣ୍ଡ ରାଇଟିଙ୍ଗ ଏକ୍ସପର୍ଟ ସଂସ୍ଥା ପରୀକ୍ଷାଗାରକୁ ସତ୍ୟତା ଯାଞ୍ଚ ପାଇଁ ତୁରନ୍ତ ପ୍ରରଣ କରାଯାଉ ।ଏହିପରି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ ଉପଯୁକ୍ତ ତଦନ୍ତ କରି ସଂପୃକ୍ତ ବିଭୀଷଣ ମାନଙ୍କୁ ଚିହ୍ନଟ କରି ଆଇନଗତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି ।

ad-week
Leave A Reply

Your email address will not be published.