
ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତାକାଲି ହେବ ଜାତୀୟ ବ୍ଲୁ-ଇକୋନୋମି ମହାସମାବେଶ । ଗଭୀର ସମୁଦ୍ର ମତ୍ସ୍ୟଚାଷର ‘ଅନୁମତି ପତ୍ର’ ଓ ଓଡ଼ିଶା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି । ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ‘ଅନୁମତି ପତ୍ର’ର ଶୁଭାରମ୍ଭ କରିବେ । ଏହା ସହିତ ରାଜ୍ୟର ଅଫ୍-ସୋର୍ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ପ୍ରସ୍ତୁତ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟଚାଷ ମିଶନ ଦଲିଲ’ ର ମଧ୍ୟ ଉନ୍ମୋଚନ ହେବ । ଏହି ନୂଆ ‘ଅନୁମତି ପତ୍ର’ ପ୍ରଦାନ ଦ୍ୱାରା ଭାରତୀୟ ପତାକାଧାରୀ ବଡ଼ ବ୍ୟାବସାୟିକ ଜାହାଜଗୁଡ଼ିକ ଭାରତର ବିଶେଷ ଆର୍ଥିକ ଅଞ୍ଚଳ (EEZ) ବାହାରେ ଥିବା ଗଭୀର ଆନ୍ତର୍ଜାତୀୟ ସମୁଦ୍ରରେ ନିୟମିତ ଓ ସୁରକ୍ଷିତ ମାଛଧରା କାର୍ଯ୍ୟ କରିପାରିବେ । ସମଗ୍ର LoA ବ୍ୟବସ୍ଥାକୁ ‘ReALCraft’ ମାଛଧରା ଜାହାଜ ପଞ୍ଜୀକରଣ ପୋର୍ଟାଲ ସହିତ ସଂଯୋଗ କରାଯାଇଛି ।
ଏହା ସମ୍ପୂର୍ଣ୍ଣ ଅନଲାଇନ୍ ଏବଂ ସମୟଭିତ୍ତିକ ହୋଇଥିବାରୁ ଏଥିରେ କୌଣସି ପ୍ରଶାସନିକ ଜଟିଳତା ରହିବ ନାହିଁ। କାର୍ଯ୍ୟକ୍ରମରେ ପାରାଦୀପ ମେରାଇନ ପ୍ରାଇମେରୀ ଫିସ୍ କୋ-ଅପରେଟିଭ ସୋସାଇଟି ଏବଂ ନ୍ୟାସନାଲ କୋପରେଟିଭ ଏକ୍ସପୋର୍ଟସ ଲିମିଟେଡ୍ (NCEL) ଭଳି ବଡ଼ ସଂଗଠନଗୁଡ଼ିକୁ LoA ଲାଇସେନ୍ସ ବଣ୍ଟନ କରାଯିବ । ଆଣ୍ଡାମାନ-ନିକୋବର ଓ ଲକ୍ଷାଦ୍ୱୀପ ଭଳି ଦ୍ୱୀପାଞ୍ଚଳରେ ବ୍ଲୁ-ଇକୋନୋମିର ବ୍ୟାପକ ବିକାଶ ହେବ। ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଥିବା ୧୦ ବର୍ଷିଆ ‘ଓଡ଼ିଶା ଡିପ୍ ସି ମିଶନ’ ପାଇଁ ୨,୨୯୫.୪୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଏହାଦ୍ୱାରା ବାର୍ଷିକ ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ସହ ରାଜ୍ୟର ରପ୍ତାନିକୁ ୨୦୩୬ ସୁଦ୍ଧା ବାର୍ଷିକ ୫,୦୦୦ କୋଟି ଟଙ୍କାକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ବର ଗସ୍ତରେ ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି । ଖୋର୍ଦ୍ଧା ଜଟଣୀ ସ୍ଥିତ ଦେଶର ଅଗ୍ରଣୀ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ‘ନାଇଜର’ର ୧୫ତମ ଗ୍ରାଜୁଏସନ୍ ସେରିମନି ବା ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ଓ ମେଡାଲ ପ୍ରଦାନ କରିବେ ।
