
ପୁରୀ: ରଥଯାତ୍ରା ଓ ବାହୁଡ଼ାଯାତ୍ରା ପରିଚାଳନା ପାଇଁ ଦାୟିତ୍ବ ବଣ୍ଟନ । ରଥଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଗଠନ ହେଲା ପ୍ରତ୍ୟେକ ରଥର ନିର୍ଦ୍ଦେଶକ ଦଳ ଓ ବୈଷୟିକ ଦଳ । ଏସ୍ପି ପ୍ରତୀକ ସିଂହଙ୍କୁ ତାଳଧ୍ବଜ ରଥ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନନ୍ଦିଘୋଷ ରଥ ଏବଂ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କୁ ଦେବଦଳନ ରଥର ଦାୟିତ୍ୱ ପ୍ରଦାନ । ତାଳଧ୍ବଜ ରଥ ନିର୍ଦ୍ଦେଶ ଦଳରେ ୧୧ ସଦସ୍ୟ ଓ ବୈଷୟିକ ଦଳରେ ୪ ସଦସ୍ୟ ଅଛନ୍ତି । ଦେବଦଳନ ରଥ ନିର୍ଦ୍ଦେଶକ ଦଳରେ ୧୨ସଦସ୍ୟ ଓ ବୈଷୟିକ ଦଳରେ ୪ ସଦସ୍ୟ ,ସେହିପରି ନନ୍ଦିଘୋଷ ର ନିର୍ଦ୍ଦେଶକ ଦଳରେ ୧୩ ସଦସ୍ୟ ଓ ବୈଷୟିକ ଦଳରେ ୪ ସଦସ୍ୟ ରହିଛନ୍ତି । ଏମାନେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ରଥ ଟଣା ସମୟରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ ।
ଏହା ବ୍ୟତୀତ ପରମ୍ପରା ଅନୁସାରେ ରଥଟଣାରେ ତାଳଧ୍ଵଜରେ ସର୍ବାଧିକ ୨୫ ଜଣ ମହାରଣା ସେବକ, ୨ ଜଣ ରୂପକାର ସେବକ, ୨୫ ଜଣ ଭୋଇ ସେବକ ରହିବେ । ଦେବଦଳନରେ ସର୍ବାଧିକ ୨୫ ଜଣ ମହାରଣା ସେବକ, ୨ ଜଣ ରୂପକାର ସେବକ, ୨୫ ଜଣ ଭୋଇ ସେବକ ରହିବେ । ନନ୍ଦିଘୋଷରେ ସର୍ବାଧିକ ୨୭ ଜଣ ମହାରଣା ସେବକ, ୩ ଜଣ ରୂପକାର ସେବକ, ୨୬ ଜଣ ଭୋଇ ସେବକ ଉପସ୍ଥିତ ରହିବେ । ଏମାନେ ଜରୁରୀ ପରିସ୍ଥିତିରେ ମଧ୍ଯ କାର୍ଯ୍ୟ କରିବେ ।
ସେହିପରି ପୁରୀ ଓ ଭଟ୍ଟାମୁଣ୍ଡାଇରୁ ଆସିଥିବା ଘଣ୍ଟୁଆ ସେବକ ପ୍ରତିରଥରେ ବ୍ୟବସ୍ଥାବଳୀରେ ନିର୍ଦ୍ଧାରିତ ସଂଖ୍ୟାରେ ରହି ଶ୍ରୀ ବିଗ୍ରହ ମାନଙ୍କୁ ଅବରୋଧ ନକରି ସମତାଳରେ ଶୃଙ୍ଖଳିତ ଭାବରେ ଘଣ୍ଟ ବାଦନ କରିବେ । ପ୍ରତି ରଥରେ ଦୁଇ ଜଣ ଲେଖାଏଁ ପତାକାଧାରୀ ମୁତୟନ ହୋଇ ରଥର ଗତି ନିୟନ୍ତ୍ରଣ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବେ । ସଂପୃକ୍ତ ଅଧିକାରୀ ଓ ସେବକମାନଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ରଥ କର୍ଡନ ପାସ୍ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ।
