ଓମାନ ଉପକୂଳରେ ଜାହାଜ ଉପରେ ଇରାନର ଆକ୍ରମଣ: ୧୦ ଭାରତୀୟ ଉଦ୍ଧାର, ଜଣେ ନିଖୋଜ

add-all

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ କ୍ରମାଗତ ଭାବେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆଉ ଏକ ଉଦବେଗଜନକ ଘଟଣା ସାମ୍ନାକୁ ଆସିଛି। ରବିବାର ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣକୁ ଭାରତ ସରକାର ଦୃଢ଼ ନିନ୍ଦା କରିଛନ୍ତି। ‘ଜିଏଫଏସ ଗାଲାକ୍ସି’ ନାମକ ଏହି ବାଣିଜ୍ୟିକ ଜାହାଜରେ ୧୧ ଜଣ ଭାରତୀୟ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଏବେ ସୁଦ୍ଧା ଜଣେ ଭାରତୀୟ କର୍ମଚାରୀ ନିଖୋଜ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ହର୍ମୁଜ ପ୍ରଣାଳୀ ନିକଟରେ ଯାଉଥିବା ସମୟରେ ଜିଏଫଏସ ଗାଲାକ୍ସି ଉପରେ ଇରାନୀ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଏହି ଆକ୍ରମଣକୁ ଇରାନ ଏକ “ଚେତାବନୀମୂଳକ ଗୁଳିଚାଳନା” ବୋଲି ଦର୍ଶାଇଥିବା ବେଳେ ଜାହାଜଟି ବିନା ଅନୁମତିରେ ଭୁଲ୍ ରାସ୍ତାରେ ଯାଉଥିଲା ବୋଲି ନିଜର ଯୁକ୍ତି ବାଢ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ନୂଆ ରୂପ ନେଇଥିବା ବେଳେ ଏହି ଘଟଣାର ଠିକ୍ ପୂର୍ବରୁ ଇରାନ ପୁଣିଥରେ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିବା ଘୋଷଣା କରିଥିଲା।

ଏହି ଘଟଣାକୁ ନେଇ ନୂଆଦିଲ୍ଲୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ, “ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫଏସ ଗାଲାକ୍ସି ଉପରେ ଆକ୍ରମଣକୁ ଆମେ କଡ଼ା ନିନ୍ଦା କରୁଛୁ। ଜାହାଜରେ ଥିବା ୧୧ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇସାରିଛି ଏବଂ ଜଣେ ନିଖୋଜ ଥିବା ନେଇ ରିପୋର୍ଟ ମିଳିଛି।”

ନିଖୋଜ ଭାରତୀୟଙ୍କ ସନ୍ଧାନ ପାଇଁ ବ୍ୟାପକ ପ୍ରୟାସ ଜାରି ରହିଛି। ଓମାନର ରାଜଧାନୀ ମସ୍କାଟରେ ଥିବା ଭାରତୀୟ ଦୂତାବାସ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଉଦ୍ଧାର ଏବଂ ସନ୍ଧାନ କାର୍ଯ୍ୟ ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। ସକ୍ରିୟ ସହଯୋଗ ପାଇଁ ଭାରତ ସରକାର ଓମାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ମଧ୍ୟପ୍ରାଚ୍ୟରେ ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମିକୁ ବାରମ୍ବାର ଟାର୍ଗେଟ କରାଯିବା ଘଟଣା ଏବେ ଗଭୀର ଉଦବେଗର ବିଷୟ ପାଲଟିଛି। ଆନ୍ତର୍ଜାତୀୟ ଜଳପଥରେ ଏଭଳି ଆକ୍ରମଣ ତୁରନ୍ତ ବନ୍ଦ ହେବା ଦରକାର ଏବଂ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ବିନା ବାଧାରେ ବାଣିଜ୍ୟିକ ନୌଚଳାଚଳ ପୁଣି ସ୍ୱାଭାବିକ ହେବା ଉଚିତ୍ ବୋଲି ମନ୍ତ୍ରଣାଳୟ ନିଜ ବିବୃତ୍ତିରେ ଦାବି କରିଛି।

ad-week
Leave A Reply

Your email address will not be published.