
ଆମେରିକା : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି । ଇରାନ ବନ୍ଦ କଲା ହର୍ମୁଜ ପ୍ରଣାଳୀ । ଆମେରିକାର ଘନ ଘନ ଏୟାରଷ୍ଟ୍ରାଇକ୍ । ମଧ୍ୟପ୍ରାଚ୍ୟରେ ସ୍ଥିତି ପୁଣି ଥରେ ଗମ୍ଭୀର ରୂପ ଧାରଣ କରିଛି । ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳପଥ ହର୍ମୁଜ ପ୍ରଣାଳୀକୁ ଇରାନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ଏହି ସାମରିକ ତିକ୍ତତା ମଧ୍ୟରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଚଳିତ ସପ୍ତାହରେ ଇରାନ ଉପରେ ତୃତୀୟ ପର୍ଯ୍ୟାୟ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି । ଇରାନର IRGC ଦାବି କରିଛି ଯେ, ଏକ ସାଇପ୍ରସ ପତାକାଧାରୀ ବାଣିଜ୍ୟିକ ଜାହାଜ ନିଜର ଟ୍ରାକିଂ ସିଷ୍ଟମ ବନ୍ଦ କରି ନିର୍ଦ୍ଧାରିତ ରୁଟ୍ ରୁ ଅଲଗା ରାସ୍ତାରେ ଯାଉଥିଲା । ବାରମ୍ବାର ଚେତାବନୀ ସତ୍ତ୍ୱେ ନ ମାନିବାରୁ ଜାହାଜ ଉପରେ କ୍ରୁଜ୍ ମିସାଇଲ ମାଡ଼ କରାଯାଇଛି । ଆକ୍ରମଣର ଶିକାର ହୋଇଥିବା MV GFS Galaxy ଜାହାଜର ଇଞ୍ଜିନ ରୁମ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବ୍ରିଟେନର ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ ଅନୁଯାୟୀ, ଜାହାଜରେ ନିଆଁ ଲାଗିବା ଯୋଗୁଁ କର୍ମଚାରୀମାନେ ଲାଇଫ୍ ବୋଟ୍ ସାହାଯ୍ୟରେ ଜାହାଜ ଛାଡ଼ି ପଳାଇଛନ୍ତି । ତେବେ ଜଣେ ସାଧାରଣ କର୍ମଚାରୀ ଏବେ ବି ନିଖୋଜ ଅଛନ୍ତି । ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ସେନା ଇରାନର ଆଡ୍ଡାଗୁଡ଼ିକ ଉପରେ ଜୋରଦାର ପାଲଟା ଆକ୍ରମଣ କରିଛି ।
ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଇରାନ ଭୁଲ ନିଷ୍ପତ୍ତି ନେଇଛି । ଏବେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ଚଳିତ ସପ୍ତାହ ଆରମ୍ଭରେ ୩ଟି ବାଣିଜ୍ୟିକ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା, ଯାହା ପରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ଲଢ଼େଇ ଆରମ୍ଭ ହୋଇଯାଇଥିଲା । ଇରାନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆମେରିକାର ପୂର୍ବ ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୫ ଜଣ ଆହତ ହୋଇଛନ୍ତି। ଏହାର ଜବାବରେ ଇରାନ ମଧ୍ୟ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସହଯୋଗୀ ଦେଶଗୁଡ଼ିକୁ ଟାର୍ଗେଟ କରିଛି । ଇରାନ ଚେତାବନୀ ଦେଇଛି ଯେ, ହର୍ମୁଜ ପ୍ରଣାଳୀ ବନ୍ଦ ହେବା ପରେ ଯଦି ଆମେରିକା କୌଣସି ପ୍ରକାର ଆକ୍ରମଣାତ୍ମକ ପଦକ୍ଷେପ ନିଏ, ତେବେ ଅଞ୍ଚଳରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଧ୍ୱଂସ କରିଦିଆଯିବ ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟାକ-ଚ୍ୟାନେଲ ଆଲୋଚନା ଜାରି ରଖିଥିବା ବେଳେ, ଇରାନର ଏହି ଆକ୍ରମଣ ଯୋଗୁଁ ପୂର୍ବରୁ ହୋଇଥିବା ସମସ୍ତ ଅସ୍ତ୍ରବିରତି ଚୁକ୍ତି ଶେଷ ହୋଇଯାଇଛି ବୋଲି ସ୍ପଷ୍ଟ କରିଛନ୍ତି। ସୂତ୍ର ଅନୁସାରେ, ଇରାନ ଏହି ଆକ୍ରମଣକୁ ବେଆଇନ ଆଭ୍ୟନ୍ତରୀଣ ଗ୍ରୁପ୍ ର ‘ଭୁଲ୍’ ବୋଲି ଦର୍ଶାଇ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଯୁଦ୍ଧ ପରିସ୍ଥିତି ଟଳିନାହିଁ ।
