
ନୂଆଦିଲ୍ଲୀ : ମୁମ୍ବାଇ ତାଜ୍ ହୋଟେଲ୍ କୁ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ । ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍ ରେ ସର୍ଚ୍ଚ ଅପରେସନ। କେଉଁଠୁ ଆସିଥିଲା ଧମକପୂର୍ଣ୍ଣ କଲ୍ ? ଖୋଳତାଳ କରୁଛି ପୋଲିସ। ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନଭି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଅଜ୍ଞାତ ଫୋନ୍ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତିଜଣକ ମୁମ୍ବାଇର ପ୍ରସିଦ୍ଧ ‘ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍ ‘କୁ ବୋମା ମାଡ଼ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ।
ସମ୍ବେଦନଶୀଳ ମାମଲା ହୋଇଥିବାରୁ ନଭି ମୁମ୍ବାଇ ପୋଲିସ ତୁରନ୍ତ ଏହି ସୂଚନା ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଥିଲା। ସୂଚନା ପାଇବା ମାତ୍ରେ ମୁମ୍ବାଇ ପୋଲିସ ସକ୍ରିୟ ହୋଇଉଠିଥିଲା। ବୋମା ନିଷ୍କାସନ ସ୍କ୍ୱାଡ୍ ଓ ସ୍ନିଫର୍ ଡଗ୍ସ ସହାୟତାରେ ପୋଲିସ ସମଗ୍ର ହୋଟେଲ ପରିସରରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲା। ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଛି ।
ଏହି କଲ୍ କେଉଁଠୁ ଏବଂ କିଏ କରିଥିଲା, ସେ ନେଇ ପୋଲିସ ତଦନ୍ତ ଚଳାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହା ଏକ ହୋକ୍ସ କଲ୍ ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ ପୋଲିସ କୌଣସି ପ୍ରକାର ଢିଲାପଣ ଦେଖାଇବାକୁ ଚାହୁଁନାହିଁ।୨୦୦୮ ମସିହା ନଭେମ୍ବର ୨୬ରେ ଆତଙ୍କବାଦୀ ଆକ୍ରମଣରେ ତାଜ୍ ହୋଟେଲ୍ ମୁଖ୍ୟ ଟାର୍ଗେଟ୍ ଥିବାରୁ, ଏଭଳି ଯେକୌଣସି ଧମକପୂର୍ଣ୍ଣ କଲ୍ କୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥାନ୍ତି। ବର୍ତ୍ତମାନ ହୋଟେଲ୍ ରେ ସ୍ଥିତି ସ୍ୱାଭାବିକ ରହିଛି ଏବଂ ସୁରକ୍ଷା କର୍ମୀ ହାଇ ଆଲର୍ଟରେ ଅଛନ୍ତି।
