ବୁଡ଼ିଗଲା କାଳୀ ବୋଟ୍’, ୯ ମୃତଦେହ ଉଦ୍ଧାର, ୬ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

add-all

ବାଲେଶ୍ୱର : ସମୁଦ୍ରରେ ମୃତ୍ୟୁର ତାଣ୍ଡବ । ବୁଡ଼ିଗଲା ମାଆ କାଳୀ’ ଟ୍ରଲର। ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ । ବଙ୍ଗୋପସାଗରରୁ ଆସିଲା ବଡ଼ ଦୁଃଖଦ ଖବର । ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିବା ମାଛଧରା ଟ୍ରଲର ମା କାଳୀ’ର ସନ୍ଧାନ ମିଳିଛି । କିନ୍ତୁ ସାଥୀରେ ଆଣିଛି ମୃତ୍ୟୁର କରୁଣ ଚିତ୍କାର। ଟ୍ରଲର ଭିତରୁ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, ଏବେ ବି ୬ ଜଣ ନିଖୋଜ ଅଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଗତକାଲି ଅପରାହ୍ନରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାର ଗୋବର୍ଦ୍ଧନପୁର ଥାନା ପୋଲିସ, ବନ ବିଭାଗ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମିଳିତ ଉଦ୍ୟମରେ ରକ୍ତାଚର ନିକଟରେ ବୁଡ଼ିଯାଇଥିବା ଟ୍ରଲରକୁ ଚିହ୍ନଟ କରାଯାଇଥିଲା । ଟ୍ରଲରକୁ ଟାଣି ଟାଣି ଗୋବର୍ଦ୍ଧନପୁରର ସୀତାରାମପୁର ଉପକୂଳକୁ ଅଣାଯାଇଥିଲା । ବିପଜ୍ଜନକ ସ୍ଥିତିରେ ମଧ୍ୟ ଉଦ୍ଧାରକାରୀ ଦଳ ରାତିସାରା ସମୁଦ୍ର ଗର୍ଭରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ, ଯାହା ପରେ ୯ ଜଣ ମୃତକଙ୍କ ଶରୀରକୁ ବାହାର କରାଯାଇଥିଲା ।

ଚଳିତ ମାସ ୨ ତାରିଖରେ ପୂର୍ବ ମେଦିନୀପୁରର ଶଙ୍କରପୁର ବେଳାଭୂମିରୁ ମୋଟ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ମା କାଳୀ ଟ୍ରଲରଟି ନେଳି ସମୁଦ୍ରକୁ ଯାତ୍ରା କରିଥିଲା । ପରିବାର ଲୋକେ ଆଶା ରଖିଥିଲେ ହସଖୁସିରେ ମାଛ ଧରି ସେମାନେ ଫେରିବେ । କିନ୍ତୁ ପ୍ରକୃତିର କୋପ ଏବଂ ସମୁଦ୍ରର ଅଶାନ୍ତ ରୂପ ଆଗରେ ସେମାନଙ୍କ ଜୀବନ ହାରିଗଲା । ଖରାପ ପାଗ ଯୋଗୁଁ ଟ୍ରଲରଟି ସମୁଦ୍ର ମଝିରେ ଓଲଟି ପଡ଼ିଥିଲା । ଟ୍ରଲରରେ ଥିବା ବାକି ୬ ଜଣ ମତ୍ସ୍ୟଜୀବୀ ଏବେ କେଉଁ ସ୍ଥିତିରେ ଅଛନ୍ତି? ସେମାନେ ସମୁଦ୍ର ସ୍ରୋତରେ ଭାସିଯାଇଛନ୍ତି ନା କେଉଁଠି ଅଟକିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନିଖୋଜ ମତ୍ସ୍ଯଜିବୀ ଙ୍କ ମଧ୍ଯରେ ରହିଛନ୍ତି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଉଲୁଡା ଗ୍ରାମର ଗୋଟିଏ ପରିବାର ର ତିନି ଭାଇ, ରବିନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଏବଂ ଜୟରାମ ମାଝୀ । ପରିବାର ଲୋକେ ଆଶା ଆଶଙ୍କା ଭିତରେ ରହିଛନ୍ତି ।

ad-week
Leave A Reply

Your email address will not be published.