
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ସିରମୋର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ନାହନ-କୁମାରହଟ୍ଟୀ-ସିମଲା ରାଷ୍ଟ୍ରୀୟ ରାଜମାର୍ଗରେ ହୋଇଛି । କାର୍ ଅନିୟନ୍ତ୍ରିତ ହୋଇ ୧୫୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା ।
ଖବର ଅନୁସାରେ, ଦୁର୍ଘଟଣା ବିଳମ୍ବିତ ରାତିରେ ହାଇଓେ୍ବର ଏକ ମୋଡ଼ରେ କାର୍ ଅନିୟନ୍ତ୍ରିତ ହୋଇ ରାସ୍ତାରେ ଲାଗିଥିବା ସୁରକ୍ଷା ବାଡ଼କୁ ଡେଇଁ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣା ବେଳେ ଗାଡ଼ିରେ ୪ ଜଣ ଲୋକ ଥିଲେ । ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।
ଘଟଣା ପରେ ସ୍ଥାନୀୟ ଲୋକ ଏବଂ ପୋଲିସ ଉଦ୍ଧାରକାର୍ଯ୍ୟ କରିଥିଲେ । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ଘଟଣାପରେ ପୋଲିସ ଏବେ ଦୁର୍ଘଟଣାର କାରଣ ଖୋଜି ଯାଞ୍ଚ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିଛି । ସମସ୍ତ ମୃତକ ସିରମୋର ଜିଲ୍ଲାର ବୋଲି ଜଣାପଡିଛି । ଦୁର୍ଘଟଣାରେ ୪୮ ବର୍ଷୀୟ ରୀନା ଶର୍ମା, ୬୫ ବର୍ଷୀୟ ଉର୍ମିଲ ଜୈତଲୀଙ୍କ ଜୀବନ ଚାଲିଯାଇଥିଲା । ମୃତକ ମହିଳା ଜଣେ ଶିକ୍ଷକ ବୋଲି ଜଣାପଡିଛି । ଘଟଣାରେ ୩୩ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ପ୍ରାରମ୍ଭିକ ଭାବେ କାର୍ ଅନିୟନ୍ତ୍ରିତ ହୋଇ ଖସିପଡିଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
